ଓଡ଼ିଶା 365 (ବ୍ୟୁରୋ): ଆଜି ବିଧାନସଭା ମୌସୁମୀ ଅଧିବେଶନର ୬ଷ୍ଠ କାର୍ଯ୍ୟ ଦିବସ। ତେବେ ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ଦେଖାଦେଇଛି ପ୍ରବଳ ହଟ୍ଟଗୋଳ । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ ବିଜେପି ସଦସ୍ୟ। ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା ।
ଏଣୁ ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଜେପି ବିଧାୟକମାନେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିଲେ । ଏଥିପାଇଁ ବାଚସ୍ପତି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଚଳିତ ବିଧାନସଭା ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ । ଯାହାକୁ ନେଇ ଆଜି ଗୃହରେ ଦେଖାଦେଇଛି ତୁମ୍ବି ତୋଫାନ।