ଓଡ଼ିଶା 365 (ବ୍ୟୁରୋ) : କୋଟାରେ ଛାତ୍ର ଆତ୍ମହତ୍ୟା ବଢ଼ୁଛି । ତେବେ ଆତ୍ମହତ୍ୟାକୁ ରୋକିବା ପାଇଁ ରାଜସ୍ଥାନ ସରକାର କୋଚିଂ ସେଣ୍ଟର ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ନିର୍ଦ୍ଦେଶାବଳି ଅନୁଯାୟୀ ଟପରମାନଙ୍କୁ ମହିମାମଣ୍ଡିତ କରାଯିବନାହିଁ। ଛାତ୍ରଛାତ୍ରୀଙ୍କୁ ରୢାଙ୍କ୍ ଅନୁଯାୟୀ ବିଭାଜନ କରାଯିବନାହିଁ । ସେହିପରି ରୁଟିନ ଟେଷ୍ଟ୍କୁ ମଧ୍ୟ ଗୁପ୍ତ ରଖାଯିବ। ଛୁଟି ପରଦିନ କୌଣସି ପରୀକ୍ଷା ରଖାଯିବନି। ବାଧ୍ୟତାମୂଳକ ସାପ୍ତାହିକ ଛୁଟିଦିନ ରହିବ। ଯେଉଁ ଛାତ୍ର ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ଚାହିବେ ୧୨୦ ଦିନ ମଧ୍ୟରେ ତାଙ୍କର ପୂରା ଟଙ୍କା କୋଚିଂ ସେଣ୍ଟର ଫେରାଇବେ ବୋଲି ନିର୍ଦ୍ଦେଶାବଳିରେ ଉଲ୍ଲେଖ ରହିଛି । କୋଟାରେ କୋଚିଂ ସେଣ୍ଟରରେ ଆତ୍ମହତ୍ୟା ବଢ଼ିବାପରେ ରାଜ୍ୟ ସରକାର ଶିକ୍ଷା ସଚିବଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି। ଏହାପରେ ୯ ପୃଷ୍ଠାର ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଶ କରିବାପରେ ନିର୍ଦ୍ଦେଶାବଳି ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ କୋଟାରେ ସର୍ବାଧିକ ୨୬ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୫ ଥିଲା।