ଓଡ଼ିଶା 365 (ବ୍ୟୁରୋ) : ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଆଜି ଶେଷ ଦିନ । ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଚାରି ମାସର ସମୟ ଦେଇଥିଲା । ତାହା ଆଜି ଶେଷ ହେଉଛି । ଗତ ମେ ମାସ ୧୯ ତାରିଖରେ ବଡ଼ ନୋଟ୍ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ମେ’ ୨୩ତାରିଖରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନୋଟ୍ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା । ଗତ ମେ’ରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ଥିଲା। ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। କିନ୍ତୁ ଏବେବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ବଜାରରେ ଅଛି । ତେବେ ୨୦୦୦ ଟଙ୍କିଆ ବଦଳାଇବା ଓ ଜମା କରିବାର ସମୟ ସୀମାକୁ ଆଉ ଏକ ମାସ ବଢ଼ାଇବା ବିଷୟରେ ରିଜର୍ଭ ବ୍ୟାଙ୍କ ବିଚାର କରୁଥିବା ଆଲୋଚନା ହେଉଛି। ଏହି ସୀମାକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ସମ୍ଭାବନା ରହିଛି ।