ଓଡ଼ିଶା 365 (ବ୍ୟୁରୋ) : ଅକ୍ଟୋବର ୫ରୁ ନଭେମ୍ବର ୧୯ଯାଏ ଭାରତରେ ଖେଳାଯିବ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍ । ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ । ସବୁ ଦଳ ମଧ୍ୟରେ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଫ୍ୟାନଙ୍କ ଅପେକ୍ଷା ରହିଛି ବିଶ୍ୱକପକୁ। ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳ ଶନିବାର ପ୍ରଥମ ଅଭ୍ୟାସ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ କ୍ରିକେଟ୍ପ୍ରେମୀ ବହୁ ତାରକା ଖେଳାଳିଙ୍କୁ ଏକତ୍ର ଦେଖିବାକୁ ସୁଯୋଗ ପାଇବେ । ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ ଗିଲ୍, କେ ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଜୋସ ବଟଲର, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସଙ୍କ ଭଳି ମହାନ ଖେଳାଳିମାନେ ଅଭ୍ୟାସ ମ୍ୟାଚ୍ ଖେଳିବେ ।
ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳି ସାରିବା ପରେ ଇଂଲଣ୍ଡ ଦଳ ଭାରତରେ ପହଞ୍ଚିଛି । ଭାରତୀୟ ଜଳବାୟୁ ସହ ଖାପ ଖୁଆଇବା ପାଇଁ ଚାମ୍ପିଅନ୍ ଦଳ ନିକଟରେ ମାତ୍ର ୫ ଦିନର ସମୟ ରହିଛି । ଇଂଲଣ୍ଡ ଦଳ ଗୌହାଟୀରେ ଉଭୟ ଅଭ୍ୟାସ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ୨ ତାରିଖରେ ଦଳ ବାଂଲାଦେଶକୁ ଭେଟିବା ପରେ ଅହମ୍ମଦାବାଦ ଯାତ୍ରା କରିବ । ଦିନିକିଆ ବିଶ୍ୱକପ ୨୦୨୩ର ଉଦ୍ଘାଟନୀ ମୁକାବିଲାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭେଟିବେ।୨୦୧୯ ବିଶ୍ୱକପ ଜିତିବା ଦିନଠୁ ଦିନିକିଆ କ୍ରିକେଟ୍ରେ ଇଂଲଣ୍ଡର ଆଧିପତ୍ୟ ଦେଖିବାକୁ ମିଳିଛି।