ଓଡ଼ିଶା 365 (ବ୍ୟୁରୋ): ଆଜି ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା । ଏଣୁ ଆଜିଠୁ ଆରମ୍ଭ ପିତୃପକ୍ଷ। ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯିବ । ଆଜିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯିବ। ଏହି ଅବସରରେ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଓ ନରେନ୍ଦ୍ର ପୁଷ୍କରଣୀରେ ତିଳତର୍ପଣ କରୁଛନ୍ତି ଶହ ଶହ ଲୋକେ। ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସବୁଠି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ଏହିସବୁ ସ୍ଥାନରେ ଏବେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ସବୁଠୁ ବଡ଼ କଥା ହେଉଛି ଏହିସବୁ ଜଳାଶୟରେ ପାଣି କମିଯାଇଥିବାରୁ ତିଳତର୍ପଣ କରିବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। ଏପରିକି ଜଳାଶୟରେ ଜମି ରହିଥିବା ଦଳ ତଥା ଆବର୍ଜନାକୁ ଦୀର୍ଘ ଦିନ ହେବ ସଫା କରାଯାଉ ନ ଥିବାରୁ ଗନ୍ଧରେ ପରିବେଶ ଫାଟି ପଡ଼ୁଛି। ଏପରି ସ୍ଥିତିରେ ସେଠାରେ ବସି ରହି ପିଣ୍ଡଦାନ କର୍ମ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିବ ବୋଲି ବ୍ରାହ୍ମଣମାନେ କହିଛନ୍ତି। ଆଗକୁ କାର୍ତ୍ତିକ ମାସ ଥିବା ବେଳେ ହବିଷ୍ୟାଳିମାନେ ଏଠାରେ ସ୍ନାନ କରି ମହାପ୍ରଭୁଙ୍କ ଦର୍ଶନ କରିବେ। ତେଣୁ ତୁରନ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ସେବାୟତ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।