ଓଡ଼ିଶା 365 (ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ଉଗ୍ର ହେଉଛି ବିଜେଡିର ଗୋଷ୍ଠୀ କନ୍ଦଳ। ଲୋକାର୍ପଣ ପୂର୍ବରୁ ବିଜୁ ସେତୁ ଫଳ ଭାଙ୍ଗିଦେଲେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ। ଫଳରେ ଲୋକାର୍ପଣ କରିବାକୁ ଆସି ଅଧା ବାଟରୁ ଫେରିଗଲେ ମନ୍ତ୍ରୀ। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅପଦସ୍ତ ହେବାକୁ ପଡ଼ିଛି। ତେବେ କିଏ ଫଳକ ଭାଙ୍ଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମହାକାଳପଡା ବ୍ଲକ୍ ବତୀଘର ପଞ୍ଚାୟତ ନିପାଣିଆ ଖୋଳା ନାଳରେ ବିଜୁ ସେତୁ ନିର୍ମାଣ ହୋଇଥିଲା। ଆଜି ସେହି ସେତୁ ଲୋକାର୍ପିତ ହୋଇଥାଆନ୍ତା। ସେଥିପାଇଁ ଫଳକ ନିର୍ମାଣ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ସ୍ଥାନୀୟ ବିଧାୟକ ତଥା ସମବାୟ ଖାଦ୍ୟ ଯୋଗାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜର ସମର୍ଥକଙ୍କ ସହ ନିପାଣିଆ ଅଭିମୁଖେ ବାହାରିଥିଲେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫଳକକୁ ଭାଙ୍ଗି ଦେଇଥିଲେ।
ବ୍ରିଜ୍ ପାଖରେ ନିର୍ମାଣ ହୋଇଥିବା ଫଳକ ଭାଙ୍ଗି ହୋଇ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ଜାଣିପାରି ଅଧ ବାଟରୁ ଫେରିଯାଇଛନ୍ତି। ତେବେ କିଏ ଫଳକ ଭାଙ୍ଗିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏହାକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଗୋଷ୍ଠୀ କନ୍ଦଳ ଯୋଗୁ ଅସନ୍ତୁଷ୍ଟ ଗୋଷ୍ଠୀ ଏହାକୁ ଭାଙ୍ଗିଥିବା ସ୍ଥାନୀୟ ଲୋକେ କହିଛନ୍ତି।