ଓଡ଼ିଶା 365 (ବ୍ୟୁରୋ) : ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବିବୃତି ନେଇ ରାଜନୀତି ସରଗରମ ହୋଇଛି ରଖିଛନ୍ତି । ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି କହିଥିଲେ, ବିରୋଧୀ ବିକାଶକୁ ବିରୋଧ କରୁଛନ୍ତି । ଏହା ଜନବିରୋଧୀ । ଏବେ ପୁଣିଥରେ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଗୃହରେ ମୋର ଅଭିଜ୍ଞତାରୁ ନମ୍ରତାର ସହ ଏତିକି କହିପାରିବି ଯେ ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି ସେମାନେ ଏହି ଗୃହକୁ ଫେରନ୍ତି। ଯେଉଁମାନେ ଅପରାଧକୁ ନେଇ ରାଜନୀତି କରନ୍ତି, ରାଜନୈତିକ ବିଚାର ପାଇଁ ବିକାଶରେ ବାଧକ ସାଜନ୍ତି ସେମାନେ ଏହି ପବିତ୍ର ଗୃହକୁ ଫେରନ୍ତି ନାହିଁ। ଲୋକମାନେ ବିରୋଧୀଙ୍କ ଆଚରଣ ଉପରେ ନଜର ରଖିଛନ୍ତି ଏବଂ ସେମାନେ କିପରି ହତାଶ ହୋଇ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ତାହା ବି ଦେଖୁଛନ୍ତି। ଆମ ସରକାର ଓଡ଼ିଶାକୁ ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶାରେ ପରିଣତ କରିବାକୁ ଆଗକୁ ବଢ଼ିବ।ଯେଉଁମାନେ ବିକାଶକୁ ବିରୋଧ କରିବେ ସେମାନେ ଆଉ ଗୃହକୁ ଫେରିପାରିବେନି । ଯାହାକୁ ନେଇ ଏବେ ସରଗରମ ହୋଇଛି ରାଜ୍ୟ ରାଜନୀତି ।
ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣରେ ରହିଛି। ସାମ୍ପ୍ରଦାୟିକ ସମନ୍ବୟ ବଜାୟ ରହିଛି। ଛାତ୍ର, ସେବା, ଶିଳ୍ପ, ଶ୍ରମିକ ଓ କୃଷି ସାମ୍ମୁଖ୍ୟରେ କିଛି ଗୁରତ୍ୱପୂର୍ଣ୍ଣ ଆଇନଶୃଙ୍ଖଳା ସ୍ଥିତି ଘଟିନି। ରାଜ୍ୟରେ ସାମଗ୍ରିକ ମାଓବାଦୀ ଦୃଶ୍ୟରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ।
୫-ଟି ନୀତିରେ ଓଡ଼ିଶା ପୁଲିସ ମାନବ ପୋର୍ଟାଲର ଶୁଭାରମ୍ଭ କରିଥିବାବେଳେ ଏଥିରେ ଆଟ୍ରୋସିଟି ମାମଲାଗୁଡ଼ିକର ତୁରନ୍ତ ଫଇସଲା ଏବଂ ପୀଡ଼ିତଙ୍କୁ ଅନୁକମ୍ପାମୁଳକ ରାଶି ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନିତ କରାଯାଉଛି । ଆମେ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇଛୁ । ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ମୁକ୍ତ ଓ ନିରପେକ୍ଷ ଅନୁସନ୍ଧାନ ନିଶ୍ଚିତ କରିଛୁ। ତଥାପି ନ୍ୟସ୍ତ ସ୍ୱାର୍ଥ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ମାମଲାଗୁଡ଼ିକର ରାଜନୀତିକରଣ କରାଯାଉଥିବା ଦେଖି ମୁଁ ମର୍ମାହିତ ବୋଲି ନବୀନ କହିଛନ୍ତି। ଲୋକୟୁକ୍ତ ଏବଂ ଭିଜିଲାନ୍ସରେ ଯେପରି ଦୁର୍ନୀତି ମାମଲାଗୁଡ଼ିକ ପଞ୍ଜୀକରଣ,ତଦନ୍ତ ଓ ଫଇସଲା ହେଉଛି ଏବଂ ଦୁର୍ନୀତିଗସ୍ତ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଉଛି ତାହା ଅତ୍ୟନ୍ତ ଉତ୍ସାହଜନକ। ଯେଉଁଥିପାଇଁ ଓଡ଼ିଶା ଏ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ରହିଛି।ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକମାନେ ଗୃହରେ ଉପସ୍ଥିତ ନଥିଲେ।