ଓଡ଼ିଶା365(ବ୍ୟୁରୋ): ନେଦରଲ୍ୟାଣ୍ଡର ରୋଟରଡାମ ସହରରେ ରକ୍ତମୁଖା ସାଜିଲେ ଜଣେ ଛାତ୍ର । ଆଖିବୁଜା ଗୁଳି ଚଳାଇ ନେଇଗଲେ ଜଣଙ୍କ ୩ ଜୀବନ । ଏହି ଘଟଣା ପରେ ସେଠାକାର ଲୋକମାନେ ଭୟଭୀତ ହୋଇଥିବା ବେଳେ ପୁଲିସ୍ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ରଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ସେ ନେଦରଲ୍ୟାଣ୍ଡର ଏକ ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି। ୩ ମୃତକଙ୍କ ମଧ୍ୟରେ ଜଣେ ମାଆ ଝିଅ ଓ ଜଣେ ଶିକ୍ଷକ ଥିବା ଜଣାଯାଇଛି। ପ୍ରଥମେ ଛାତ୍ରଜଣକ ନିଜ ପଡ଼ୋଶୀ ମହିଳାଙ୍କ ଘରେ ପଶିଥିଲେ। ସେଠାରେ ସେ ଅଚାନକ ମହିଳାଙ୍କ ସମେତ ତାଙ୍କ ୧୪ ବର୍ଷୀୟା ଝିଅ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଖି ବୁଜିଥିଲେ ତାଙ୍କ ଝିଅ। ପରେ ସେ ମହିଳାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।
ଏହାପରେ ସେ ନିକଟରେ ଥିବା ରୋଟରଡାମ ମେଡିକାଲ କଲେଜରେ ପଶି ଯାଇଥିଲେ। ସେଠାରେ ଏକ କ୍ଲାସରେ ପଶି ଗୁଳି ଚଳାଇଥିବା ବେଳେ ଜଣେ ୪୩ ବର୍ଷୀୟ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ଏତିକିରେ ଛାତ୍ରଜଣକ ଶାନ୍ତ ପଡ଼ି ନ ଥିବା ବେଳେ ମେଡିକାଲ କଲେଜରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉକ୍ତ ସମୟରେ ପୁଲିସ୍ ପହଞ୍ଚି ତାଙ୍କୁ କାବୁ କରିଛି। ହେଲେ ଏପରି ଗୁଳିକାଣ୍ଡ ଘଟାଇବାର ତାଙ୍କ ଉଦ୍ଦେଶ୍ୟ ଜଣାପଡ଼ିନି। ସହରର ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ବେଳେ ଏଥିରେ ଜଣକ ସମ୍ପୃକ୍ତି ଥିବା ସ୍ପଷ୍ଟ ହେଉଛି। ତାଙ୍କୁ ଗିରଫ କରାଯାଇଥିବା ବେଳେ ଏହା ପଛର ଉଦ୍ଦେଶ୍ୟ ଜଣାପଡ଼ିନି ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି। ଦୁଇ ବର୍ଷ ପୂର୍ବେ ମଧ୍ୟ ସମ୍ପୃକ୍ତ ଛାତ୍ରଜଣକ ଜୀବଜନ୍ତୁଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବୋଲି ଜଣାପଡ଼ିଛି।