ଓଡ଼ିଶା 365 (ବ୍ୟୁରୋ) : ଖେଳିବେନି କିନ୍ତୁ ଏଣିକି ଖେଳାଳି ଗଢ଼ିବେ ଅଲିମ୍ପିଆନ୍ କେ. ରବି କୁମାର। ୨୦୩୬ ଅଲିମ୍ପିକ୍ରେ ଯେଭଳିଭାବେ ୨ଓଡ଼ିଆ ପ୍ରତିନିଧିତ୍ୱ କରିବେ ସେ ଦିଗରେ ସେ ଲକ୍ଷ୍ୟ ରଖିଛନ୍ତି । ଭାରୋତ୍ତୋଳନରେ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରବି କୁମାର ଆଉ ପ୍ରତିଯୋଗୀ ଭାବେ ପ୍ଲାଟଫର୍ମକୁ ଫେରିବେନି। ବରିଷ୍ଠ ଭାରୋତ୍ତୋଳକ ଏବେ ନୂଆ ଭୂମିକାରେ ଅବତ୍ତୀର୍ଣ୍ଣ ହେବେ। ନିଜର ଅଭିଜ୍ଞତାକୁ ପାଥେୟ କରି ନୂଆ ଖେଳାଳି ଗଢ଼ିବେ। ଅର୍ଜୁନ ପୁରସ୍କାର ବିଜେତା କେ.ରବି କୁମାର ରାଜ୍ୟର ଭାରୋତ୍ତୋଳନ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନରେ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ନୂଆ ଭୂମିକାକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ନିଜର କ୍ରୀଡ଼ା କ୍ୟାରିୟର୍ରେ ୨୦୧୪ରେ ବ୍ରେକ୍ ଲାଗିଥିଲା। ଆଣ୍ଠୁରେ ଆଘାତ ଯୋଗୁଁ ପ୍ରାୟ ୨ବର୍ଷ ସେ ଖେଳରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିଲେ।
୨୦୧୬ରେ ଓଡ଼ିଶା ପୁଲିସରେ ଡିଏସ୍ପି ଭାବେ ନିଯୁକ୍ତି ପାଇବା ପରେ ପୁଣିଥରେ ପ୍ଲାଟଫର୍ମକୁ ଓହ୍ଲାଇବା ପାଇଁ ପ୍ରଚେଷ୍ଟା କରିଥିଲେ। ପୁଣିଥରେ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଦେଶ ପାଇଁପ୍ରତିନିଧିତ୍ୱ କରିବା ଲକ୍ଷ୍ୟ ନେଇ କଠିନ ଅଧ୍ୟବସାୟ କରିଥିଲେ । ୨୦୧୯ରେ ତାଙ୍କ ପ୍ରଦର୍ଶନରେ ପୁରୁଣା ଚମକ ଫେରିଥିଲା। ସେହିବର୍ଷ ଫେବ୍ରୁଆରିରେ ଆନ୍ଧ୍ରର ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରବି କୁମାର ୮୯କେଜି ବର୍ଗରେ ମୋଟ ୩୪୨କେଜି ଭାରୋତ୍ତୋଳନ କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଜାତୀୟ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ ।
ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ବାଟ ଫିଟିଥିଲା। କିନ୍ତୁ ଏହି ପ୍ରତିଯୋଗିତାରେ ହୋଇଥିବା ଡୋପ୍ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଫଳରେ ତାଙ୍କ ଉପରେ ନାଡା ପକ୍ଷରୁ ୪ବର୍ଷ ପାଇଁ ବାସନ୍ଦାଦେଶ ଜାରି କରାଯାଇଥିଲା। ବାସନ୍ଦାଦେଶ ପରେ ସେ ଭାଂଗି ନପଡ଼ି ପୁଣି ଥରେ ପ୍ଲାଟଫର୍ମକୁ ଓହ୍ଲାଇ ରାଜ୍ୟ ତଥା ଦେଶ ପାଇଁ ପଦକ ଜିତିବା ପରେ ଯାଇ ସେ କ୍ରୀଡ଼ାରୁ ସନ୍ୟାସ ନେବେ ବୋଲି କହିଥିଲେ। ତାଙ୍କ ଉପରେ ଲାଗିଥିବା ବାସନ୍ଦ ଅବଧି ଗତ ମେ ମାସରେ ଶେଷ ହୋଇଥିଲା। କେ. ରବି କୁମାରଙ୍କ ଅଭିଜ୍ଞତା ଓଡ଼ିଶାରେ ଭାରୋତ୍ତୋଳନକୁ କ୍ୟାରିୟର କରିବାକୁ ଚାହୁଁଥିବା ଅନେକ ଯୁବପିଢିଙ୍କୁ ଆଗକୁ ଯିବାକୁ ବାଟକଢାଇବେ।