ଓଡ଼ିଶା 365 (ବ୍ୟୁରୋ): ଶୁକ୍ରବାର ବହୁଚର୍ଚ୍ଚିତ ରତ୍ନଭଣ୍ଡାର ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ରତ୍ନଭଣ୍ଡାର ମରାମତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨ ମାସ ମଧ୍ୟରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମିଟି ଗଠନ ବେଳେ ସରକାରଙ୍କ ହସ୍ତକ୍ଷେପ ଲୋଡିପାରିବେ ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଲେ ଆବେଦନକାରୀଙ୍କ ଓକିଲ ପିତାମ୍ବର ଜେନା ।
ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ରତ୍ନଭଣ୍ଡାରର ମରାମତି ହେବ କି’ ନାହିଁ ଏବଂ ସେଥିରେ ଥିବା ଅଳଙ୍କାରର ଗଣନା କରାଯିବ କି’ ନାହିଁ ସେସବୁକୁ ନେଇ ହାଇକୋର୍ଟରେ ବିଭିନ୍ନ ପକ୍ଷଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗତ ଅଗଷ୍ଟ ୪ ତାରିଖରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ସଂକ୍ରାନ୍ତରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି ସେ ସଂପର୍କରେ ମଧ୍ୟ ଅଦାଲତଙ୍କୁ ଅବଗତ କରାଯାଇଥିଲା । ଏଥିସହ ଆବେଦନକାରୀଙ୍କ ସମୀର ମହାନ୍ତିଙ୍କ ପିଟିସନ୍ କିପରି ଗ୍ରହଣୀୟ ନୁହେଁ ତାହା ଉପରେ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏହାକୁ ବିରୋଧ କରି ଆବେଦନକାରୀ ମଧ୍ୟ ରତ୍ନଭଣ୍ଡାରର କିପରି ତୁରନ୍ତ ମରାମତି କରାଯିବାର ଆବଶ୍ୟକତା ରହିଛି ସେ ନେଇ ପ୍ରତିଜବାବ ରଖିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଆଜି ଶୁଣାଣି କରି ରତ୍ନଭଣ୍ଡାର ମରାମତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।