ଓଡ଼ିଶା 365 (ବ୍ୟୁରୋ) : ରାଜ୍ୟରେ ବୃଦ୍ଧି ପବାଇବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘ ୫ବର୍ଷର ରେକର୍ଡ ଭାଙ୍ଗିଲା ଡେଙ୍ଗୁ । ସାରା ଦେଶରେ ଚତୁର୍ଥ ସ୍ଥାନରେ ରହିଛି ଓଡ଼ିଶା । ଚଳିତ ବର୍ଷ ପ୍ରତିଦିନ ୨ଶହରୁ ଅଧିକ ରୋଗୀ ଚିହ୍ନଟ ହେଉଥିବା ବେଳେ ତାହା ଶହେକୁ ଖସି ଆସିଛି । ତେବ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮ହଜାର ଛୁଇଁବାକୁ ଯାଉଛି । ତେବେ ଏହା ବିଗତ ୫ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ଡେଙ୍ଗୁ ସଂକ୍ରମଣ ବୋଲି କୁହାଯାଉଛି । ତେବେ ମାତ୍ରାଧିକ ଡେଙ୍ଗୁ ସଂକ୍ରମଣ ପାଇଁ ଗବେଷକମାନେ ଏଡିସ୍ ମଶାର ପ୍ରଜାତି ଆଲ୍ବୋପିକ୍ଟସ୍କୁ ଦାୟୀ କରୁଛନ୍ତି । ରାଜ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ପୂର୍ବରୁ ରୋଗ ସୃଷ୍ଟିକାରୀ ଏଡିସ୍ ଏଜିପ୍ଟାଆଇକୁ ପଛକୁ ଠେଲି ଦେଇଛି । ଏ ଦୃଷ୍ଟିରୁ ରାଜ୍ୟରେ ଡେଙ୍ଗକୁ ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି।
ଏନ୍ଭିବିଡିସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୮ମସିହାରେ ରାଜ୍ୟରେ ୫୧୯୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୯ରେ ଏହା ୩୭୫୮କୁ ଖସି ଆସିଥିଲା। ୨୦୨୦ରେ କୋଭିଡ ମହାମାରୀ ବିଶ୍ବକୁ କବଳିତ କରିଥିବା ବେଳେ ଏହି ବର୍ଷ ରାଜ୍ୟରେ ମାତ୍ର ୪୯୬ ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିଲେ। ହେଲେ ୨୦୨୧ରେ ପୁଣିଥରେ ରାଜ୍ୟରେ ମୁଣ୍ଡ ଟେକିଥିଲା ଡେଙ୍ଗୁ। ଏହିବର୍ଷ ୭୫୪୮ ଆକ୍ରାନ୍ତ ଚିହ୍ନଟ ହେବା ସହିତ ବିଗତ ବର୍ଷ ତୁଳନାରେ ସର୍ବାଧିକ ସଂକ୍ରମଣ ରହିଥିଲା। ୨୦୨୨ରେ ପୁଣିଥରେ ୭୦୬୩ ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ଚଳିତବର୍ଷ ସବୁ ରେକର୍ଡକୁ ଭାଙ୍ଗିଛି ଡେଙ୍ଗୁ। ଚଳିତବର୍ଷ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ରାଜ୍ୟରେ ୭୭୯୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ଏବେ ଲଗାତାର ଭାବେ ବର୍ଷା ହେଉଥିବାରୁ ଆସନ୍ତା ୧ମାସ ପର୍ଯ୍ୟନ୍ତ ଡେଙ୍ଗୁ ସଂକ୍ରମଣ ଜାରି ରହିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛି।
ଅପରପକ୍ଷରେ ଏହି ସମୟରେ ଗତବର୍ଷ ଓ ଚଳିତବର୍ଷର ଡେଙ୍ଗୁ ରୋଗୀଙ୍କ ପରିସଂଖ୍ୟାନକୁ ଦେଖିଲେ ରାଜ୍ୟର ଡେଙ୍ଗୁ ସ୍ଥିତି ଭୟଙ୍କର ଥିବା ବାରି ହୋଇପଡ଼ୁଛି। ଗତବର୍ଷ ସେପ୍ଟେମ୍ବର ୨୬ ବେଳକୁ ରାଜ୍ୟରେ ୪୦୪୬ ଆକ୍ରାନ୍ତ ବାହାରିଥିବା ବେଳେ ଚଳିତବର୍ଷ ରୋଗୀଙ୍କ ସଂଖ୍ୟା ୭୭୯୪ରେ ପହଞ୍ଚିସାରିଲେଣି। ଖୋର୍ଧା ଜିଲ୍ଲରେ ସର୍ବାଧିକ ୩୪୧୨, ପୁରୀ ୯୦୮, ବାଲେଶ୍ବର ୬୭୮, କଟକ ୬୭୧, ଜଗତସିଂହପୁର ୩୯୩, ସୁନ୍ଦରଗଡ଼ ୨୪୨ରୋଗୀ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୨ଜଣ ବାହାରିଛନ୍ତି। ରୋଗୀଙ୍କ ସଂଖ୍ୟା ବଢ଼ିଥିଲେ ହେଁ ସରକାରୀଭାବେ ଜଣେ ହେଲେ ଡେଙ୍ଗୁରେ ପ୍ରାଣ ହରାଇ ନ ଥିବା କୁହାଯାଇଛି। ଡେଙ୍ଗୁକୁ ନେଇ ବ୍ୟାପକ ସଚେତନତା କାରଣରୁ ଡେଙ୍ଗୁ ଲକ୍ଷଣ ଦେଖାଗଲେ ଲୋକମାନେ ପରୀକ୍ଷା ପାଇଁ ଆଗେଇ ଆସୁଛନ୍ତି। ଏ ଦୃଷ୍ଟିରୁ ରାଜ୍ୟରେ ଚଳିତବର୍ଷ ୧ଲକ୍ଷ ୨ହଜାରରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି। ଯାହାକି ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ।