ଓଡ଼ିଶା 365 (ବ୍ୟୁରୋ) : ଆଜି ‘ବିଶ୍ୱ ହୃଦୟ ଦିବସ’ ବା ୱାର୍ଲଡ ହାର୍ଟ ଡେ । ପ୍ରତିବର୍ଷ ୨୯ ସେପ୍ଟେମ୍ବରରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ । ସାରା ବିଶ୍ୱରେ ବର୍ଷକୁ ହୃଦଘାତରେ ୧ କୋଟି ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ମାନସିକ ଚାପ ରହିଲେ ହୃଦରୋଗ ବଢି଼ବାର ଆଶଙ୍କା ରହିଥାଏ । ତେବେ ଏଥିରେ ଅଧିକ ଯୁବବର୍ଗ ହୃଦରୋଗରେ ଆକ୍ରାନ୍ତ ହେଉଛନ୍ତି । ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ଓ ବ୍ୟାୟାମର ଅଭାବ ମୁଖ୍ୟ କାରଣ ହୋଇଥାଏ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ସାରା ବିଶ୍ୱରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢୁଥିବାର ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ହୃଦୟ ଫେଡେରେସନ୍ ମିଳିତ ଭାବେ ବିଶ୍ୱ ହୃଦୟ ଦିବସର କଳ୍ପନା କରିଥିଲେ । ୧୯୯୭ ରୁ ୧୯୯୯ ପର୍ଯ୍ୟନ୍ତ ୱାର୍ଲଡ ହାର୍ଟ ଫେଡେରେଶନର ସଭାପତି ଏଣ୍ଟୋନି ବେୟସ୍ ଡି ଲୁନା ଏହି ଦିବସକୁ ନେଇ ବିଚାର କରିଥିଲେ ।
୨୪ ସେପ୍ଟେମ୍ବର ୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ଏହି ଦିନକୁ ଆନ୍ତର୍ଜାତୀୟ ଦିବସ ଭାବରେ ପାଳନ କରାଯାଇଥିଲା । ସେହି ସମୟରେ ଏହି ଦିନକୁ ସେପ୍ଟେମ୍ବରର ଶେଷ ରବିବାରରେ ପାଳନ କରାଯାଇଥିଲା । ହେଲେ ୨୦୧୪ରେ ଏଥିରେ ପରିବର୍ତ୍ତନ ଅଣାଯାଇ ସେପ୍ଟେମ୍ବର ୨୯ ତାରିଖ ଦିନକୁ ‘ବିଶ୍ୱ ହୃଦୟ ଦିବସ’ ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା । ଅନେକ ଥର ଲୋକଙ୍କୁ ହଠାତ୍ ବ୍ୟସ୍ତ-ବିବ୍ରତ ଲାଗିଥାଏ । ଏହାକୁ ସାଧାରଣ ଭାବେ ଅନେକ ଅଣଦେଖା ମଧ୍ୟ କରନ୍ତି । କିନ୍ତୁ ଯଦି ଆପଣଙ୍କୁ ରାତି କିମ୍ବା ସକାଳ ସମୟରେ ବ୍ୟସ୍ତ ବିବ୍ରତ ଲାଗୁଛି କିମ୍ବା ନିଶ୍ୱାସ ନେବାରେ କଷ୍ଠ ବା ଅସୁବିଧା ଅନୁଭବ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।
ଛାତି ଯନ୍ତ୍ରଣା ହେଉଛି ହୃଦଘାତର ସବୁଠାରୁ ବଡ ଲକ୍ଷଣ । ତେଣୁ ପେଟ ଏବଂ ମୁଣ୍ଡ ପରି ଛାତି ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ । ଯଦି ଛାତିରେ ଚାପ ଅନୁଭବ ହେଉଛି, ତେବେ ନିଜ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ସଠିକ୍ ସମୟରେ ଏହାର ଚିକିତ୍ସା କରାନ୍ତୁ ।ପାଗ ଥଣ୍ତା ଅଛି ବା ସାଧାରଣ ତାପମାତ୍ରାରେ ଯଦି ଆପଣଙ୍କ ଦେହରୁ ହାଠାତ୍ ଝାଳ ବାହାରୁଛି ତେବେ ସତର୍କ ରୁହନ୍ତୁ । ସକାଳେ ଏବଂ ରାତିରେ ଥଣ୍ଡା ଝାଳ ବାହାରିବା ହୃଦଘାତର ଲକ୍ଷଣ ହୋଇପାରେ । ଏପରି ପରିସ୍ଥିତିରେ ଯଥାଶୀଘ୍ର ଡାକ୍ତରଙ୍କ ନିକଟକୁ ଯାଆନ୍ତୁ, ଯାହା ଦ୍ୱାରା ଚିକିତ୍ସା ଠିକ୍ ସମୟରେ ଆରମ୍ଭ ହୋଇପାରିବ ।