ଓଡ଼ିଶା 365 (ବ୍ୟୁରୋ): ଆଜି ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ ଶୁଣାଇବେ ଉଚ୍ଚ ଅଦାଲତ। ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିବା ରାୟ ଆଜି ଶୁଣାଇବେ ହାଇକୋର୍ଟ। ଆଜି ଅପରାହ୍ଣ ୨ଟାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିବେ । ତେଣୁ ରତ୍ନଭଣ୍ଡାର ଖୋଲିବ କି ନା, ଏହାର ମରାମତି ତଥା ଅଳଙ୍କାରର ଗଣନା ହେବ କି ନା ସେ ସଂପର୍କରେ ଦୀର୍ଘଦିନ ଧରି ଚାଲିଥିବା ଯୁକ୍ତି, ଆରୋପ ପ୍ରତ୍ୟାରୋପର ଆଜି ଫଇସଲା ହୋଇଯିବ ବୋଲି ଆଶା କରାଯାଉଛି ।
କହିରଖୁ କି, ଗତ ୨୬ ତାରିଖରେ ରତ୍ନଭଣ୍ଡାରର ମରାମତି ହେବ କି’ ନାହିଁ ଏବଂ ସେଥିରେ ଥିବା ଅଳଙ୍କାରର ଗଣନା କରାଯିବ କି’ ନାହିଁ ସେସବୁକୁ ନେଇ ହାଇକୋର୍ଟରେ ବିଭିନ୍ନ ପକ୍ଷଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗତ ଅଗଷ୍ଟ ୪ ତାରିଖରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ସଂକ୍ରାନ୍ତରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି ସେ ସଂପର୍କରେ ମଧ୍ୟ ଅଦାଲତଙ୍କୁ ଅବଗତ କରାଯାଇଥିଲା । ଏଥିସହ ଆବେଦନକାରୀଙ୍କ ସମୀର ମହାନ୍ତିଙ୍କ ପିଟିସନ୍ କିପରି ଗ୍ରହଣୀୟ ନୁହେଁ ତାହା ଉପରେ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏହାକୁ ବିରୋଧ କରି ଆବେଦନକାରୀ ମଧ୍ୟ ରତ୍ନଭଣ୍ଡାରର କିପରି ତୁରନ୍ତ ମରାମତି କରାଯିବାର ଆବଶ୍ୟକତା ରହିଛି ସେ ନେଇ ପ୍ରତିଜବାବ ରଖିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ ଉଚ୍ଚ ଅଦାଲତ ।