ଓଡ଼ିଶା365(ବ୍ୟୁରୋ): ଅଢେଇ ବର୍ଷର କୁନି ଝିଅଟି କାହିଁକି ବା ଜାଣିବ ଆରପାରି ହେଉଛି ଅଫେରା ରାଇଜ । ସେ ବା କାହିଁକି ଜାଣିବ ଏପାରି ସେପାରିର ପାର୍ଥକ୍ୟ । ସେ ତ ଚାହିଁ ବସିଛି ତା ମାଆକୁ। ମାଆ ଆସିବ ତାକୁ ଢେର ସାରା ସ୍ନେହ କରିବ। କୋଳରେ ଜାବୁଡି ଧରି ତାର ସବୁ ଅଳିକୁ ପୂରଣ କରିବ । କିଛି ନଜଣାଇ ପଳାଇ ଥିବାରୁ ତା ଗାଲରେ ଚୁମ୍ବନ ପରେ ଚୁମ୍ବନ ଆଙ୍କିଦେବ। ଶ୍ରଦ୍ଧାର ସହ ତା ମୁଣ୍ଡରେ ହାତ ବୁଲାଇ ଆଣିବ । ଆଖି ମିଟି ମିଟି କରି ଏମିତି କେତେ କଥା ମନେ ମନେ ଭାବି ମାଆକୁ ଅନାଇ ବସାଇଥିଲା କୁନିଝିଅଟି । ଠିକ୍ ଏହି ସମୟରେ ବାପା କହିଲେ ଚାଲ ମାଆ ପାଖକୁ ଯିବା । ସତରେ କେତେ ଖୁସି ସେ ଝିଅର ଆଖିରେ । ସେ ଆଜି ତା ମାଆ ପାଖକୁ ଯିବ । ଢେର ସାରା ଖେଳିବ । ମାଆ ପାଖକୁ ଯିବ ବୋଲି ରାତି ୯ଟାରେ ସଜେଇ ହୋଇ ବାହାରି ପଡ଼ିଲା ବାପାଙ୍କ ସହ। ବାଟରେ ଖୁସି ହୋଇ ଗୁଲୁଗୁଲୁ ସ୍ୱରରେ ଜେଜେବାପାଙ୍କୁ ଫୋନ କରି କହିଲା ଜେଜେ…ଜେଜେ.. ମୁଁ ଆଉ ବାପା ମାଆ ପାଖକୁ ଯାଉଛୁ । ହେଲେ ସେ ଜାଣିନଥିଲା ସେ କୁଆଡ଼େ ଯାଉଛି । ତା ଜୀବନରେ କ’ଣ ଘଟିବାକୁ ଯାଉଛି ।
ଆମେ କହୁଛୁ ଭଦ୍ରକ ଜିଲ୍ଲା ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁଙ୍କ କଥା। ଯିଏ ନିଜ ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡିଛନ୍ତି। ଚନ୍ଦନ ୪ ବର୍ଷ ତଳେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଚନ୍ଦନ ସୁରତର ଏକ ସୂତା ମିଲରେ କାମ କରୁଥିଲେ । ବିବାହ ପରେ ସ୍ୱାମୀ-ସ୍ତ୍ରୀ ସେଠାରେ ରହୁଥିବା ବେଳେ ପାରିବାରିକ ଅଶାନ୍ତି କାରଣରୁ ପତ୍ନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେବେଠୁ ମାନସିକ ଅଶାନ୍ତିରେ ଥିଲେ ଚନ୍ଦନ। ଝିଅ ସହ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ମନ ଲାଗୁନଥିଲା କେଉଁ କାମରେ । ପତ୍ନୀଙ୍କ ପାଖକୁ ଯିବେ ବୋଲି ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ଅନେକ ସମୟରେ କହୁଥିଲେ । ଆଉ ଶେଷରେ ସବୁକିଛି ଭୁଲିଯାଇ ଝିଅ ସହ ଡେଇଁପଡ଼ିଛନ୍ତି ନଦୀକୁ। ଏ କଥା ଶୁଣିଦେଲେ ଆଖିରେ ଲୁହ ଜକେଇ ଯାଉଛି… ଥର ଥର ଓଠ ଲୁହକୁ ପିଇ ଯାଉଛି…ସମସ୍ତେ କହୁଛନ୍ତି ହାଏରେ ବିଧାତା ଏସବୁ ତୁ କଣ କରୁଛୁ ।