ଓଡ଼ିଶା 365 (ବ୍ୟୁରୋ): ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଦନ୍ତ ଦାୟିତ୍ୱକୁ ପୁଲିସ୍ ବିଭାଗର ମାନବଧିକାର ସୁରକ୍ଷା ସେଲ୍(ଏଚ୍ଆରପିସି) କୁ ହସ୍ତାନ୍ତର କରିଛି । ଉକ୍ତ ଘଟଣାର ତଦନ୍ତ ଏଚ୍ଆରପିସିର ଜଣେ ଡିଏସ୍ପି ପାହ୍ୟାର ଅଫିସରଙ୍କ ତତ୍ତ୍ୱାବଧାନରେ ଚାଲିବ। ଏନେଇ ଆଜି ବିଧିବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର । ତେବେ ଏଚ୍ଆରପିସି ମାମଲା ଯିବା ପରେ ସୁସ୍ମିତାଙ୍କ ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ଆଶା କରାଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲା ସୁନ୍ଦରଗଡ଼ ଆଦିବାସୀ ଜିଲ୍ଲା ମଞ୍ଚ । ଶତାଧିକ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ । ଏହାର ସିବିଆଇ ତଦନ୍ତ କରାଯିବା ଓ ଦୋଷୀକୁ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ । ଦାବିପୂରଣ ନହେଲେ ସମଗ୍ର ରାଜ୍ୟର ଆଦିବାସୀ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ସୁନ୍ଦରଗଡ଼ ଆଦିବାସୀ ଜିଲ୍ଲା ମଞ୍ଚ ପକ୍ଷରୁ ଭାରତର ରାଷ୍ଟ୍ରପତି, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆରଡିସି (ସମ୍ବଲପୁର), ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସ୍ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।