ଓଡ଼ିଶା 365 (ବ୍ୟୁରୋ): ରାଜ୍ୟର ୧୫ ଜିଲ୍ଲା ଏବେ ଭୂମିକମ୍ପ ପ୍ରବଣ ଅଞ୍ଚଳ। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ଆଜି ଏହି ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେଉଁ କେଉଁ ଜିଲ୍ଲା ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଏହା କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ । ତା ସହିତ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଏହି ସବୁ ଅଞ୍ଚଳରେ କି ପଦକ୍ଷେପ ଗ୍ରହଣ କରାଯାଇଛି ।
ତାରାଙ୍କ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ୧୫ଟି ଜିଲ୍ଲା ଯଥାକ୍ରମେ – ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ୱର ଓ ମୟୂରଭଞ୍ଜ ହେଉଛି ଭୂମିକମ୍ପ ପ୍ରବଣ ଅଞ୍ଚଳ । ରାଜ୍ୟର ବିଭିନ୍ନ ସହରରେ ସହରାଞ୍ଚଳ ଭୂମିକମ୍ପ ବିପଦ ସଙ୍କୁଳନ ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ତା ବ୍ୟତୀତ ଏ ସମ୍ପର୍କରେ ତାଲିମ ମଧ୍ୟ ଦିଆଯାଉଛି । ଭୂମିକମ୍ପ ସମ୍ପର୍କରେ ଜାଣିବା ପାଇଁ ପ୍ରାଥମିକ ଶିକ୍ଷାରେ ଏହାକୁ ସାମିଲ କରାଯାଇଛି ବୋଲି ଉତ୍ତର କହିଛନ୍ତି ମନ୍ତ୍ରୀ।