ଓଡ଼ିଶା365(ବ୍ୟୁରୋ): ଗ୍ରୀସ୍ର ଥେସଲି ଅଲ୍ମିରୋସ୍ ନଗରୀରେ ମେଣ୍ଢାପଲ ‘ଗ୍ରିନ୍ ହାଉସ୍’ ଭିତରେ ଲଗାଯାଇଥିବା ପ୍ରାୟ ୧୦୦ କେଜି ଓଜନର ଗଞ୍ଜେଇ ଗଛ ଖାଇଯାଇଛନ୍ତି । ଏ ନେଇ ‘ନିଉଜ୍ଉଇକ୍’ ରିପୋର୍ଟ କରିଛି। ଗ୍ରୀସ୍, ଲିବ୍ୟା, ତୁର୍କୀ ଓ ବୁଲ୍ଗେରିଆ ଉପର ଦେଇ ସାମୁଦ୍ରିକ ବାତ୍ୟା ଡାନିଏଲ୍ ପ୍ରବାହିତ ହେବା ପରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଉକ୍ତ ମେଣ୍ଢାପଲ ସେ ‘ଗ୍ରିନ୍ ହାଉସ୍’ ନିକଟରେ ଆଶ୍ରୟ ନେଇଥିଲେ। ଭୋକରେ ମେଣ୍ଢାପଲ ‘ଗ୍ରିନ୍ ହାଉସ୍’ ଭିତରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ନିମନ୍ତେ ଚାଷ କରାଯାଇଥିବା ଉକ୍ତ ଗଞ୍ଜେଇଗଛ ସବୁ ଖାଇ ଦେଇଥିଲେ। ପ୍ରଥମେ ଏ କଥା ଜାଣି ନ ଥିବା ମେଣ୍ଢାପଲ ମାଲିକ ୟାନ୍ନିସ୍ ବୋର୍ଣ୍ଣିସ୍ ମେଣ୍ଢାମାନଙ୍କର ବିଚିତ୍ର ଆଚରଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମେଣ୍ଢାମାନେ ଛେଳିମାନଙ୍କଠାରୁ ଅଧିକ ଉଚ୍ଚକୁ କୁଦାମାରୁଥିଲେ, ଯାହା କେବେ ମେଣ୍ଢାମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ । ସେ ଏ କଥା ଏକ ସ୍ଥାନୀୟ ‘ରେଡିଓ ପ୍ରଯୋଜକକ’ଙ୍କୁ କହିଛନ୍ତି।‘ଗ୍ରିନ୍ ହାଉସ୍’ର ମାଲିକ ଗଣମାଧ୍ୟମକୁ କହିଛନ୍ତି, ଏଥିରେ ହସିବି ନା, କାନ୍ଦିବି ଜାଣି ପାରୁନାହିଁ। ଏଠାରେ ଗ୍ରୀଷ୍ମ ପ୍ରବାହ ହେବାରୁ ଆମର ବହୁତ ଗଞ୍ଜେଇଗଛ ମରିଯାଇଥିଲା। ପରେ ପରେ ବନ୍ୟା ଆସିବାରୁ ଆହୁରି କିଛି ଗଛ ନଷ୍ଟ ହୋଇଗଲା। ଆଉ ଯାହା କିଛି ବଞ୍ଚିଥିଲା ମେଣ୍ଢାପଲ ଖାଇଗଲେ। କ୍ଷତି ଭରଣା ପାଇଁ ମଧ୍ୟ କାହାକୁ କହିହେବ ନାହିଁ ।