ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଶ୍ରୀମନ୍ଦିରଠାରୁ ପ୍ରାୟ ମାତ୍ର ୩ କିମି ଦୂରରେ । ନେତାଜୀ ସୁବାଷ ବୋଷ ଛକଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ ଚକ୍ରତୀର୍ଥ କୁହାଯାଏ । ଏହା ପୂର୍ବେ ନଦୀ ଓ ସମୁଦ୍ରର ସଙ୍ଗମସ୍ଥଳ ଥିଲା । ଏହାର ଠିକ କାଳ ନିରୂପଣ କରାଯାଇନାହିଁ । ବିଭିନ୍ନ ପୋଥି ଅନୁଯାୟୀ ଏହାର ଇତିହାସ ମହାଭାରତ ପରବର୍ତ୍ତୀ ସମୟର । ଏଠାରେ ଅନେକ ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ରହିଛି । ତେବେ ଏହି ମନ୍ଦିରରେ ପୋଖରୀ ପୋତି ହୋଇଯିବା ପରେ ଏକ ମନ୍ଦିର ନିର୍ମାଣ କରାଯାଇ ଚକ୍ରନାରାୟଣଙ୍କ ସହ ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ପୂଜା କରାଯାଇଛି । ମଝିରେ କଳା ଗ୍ରାନାଇଟରେ ତିଆରି ନାରାୟଣ ମୂର୍ତ୍ତି ଚକ୍ରନାରାୟଣ ଭାବେ ନାମିତ । ଏଠାରେ ଥିବା ଠାକୁର ପ୍ରଭୁ ନୃସିଂହଙ୍କ ତିନି ରୂପ, ଯଥା: ଅଭୟ ନୃସିଂହ, ଚକ୍ର ନୃସିଂହ ଓ ଲକ୍ଷ୍ମୀ ନୃସିଂହ । ଶ୍ରୀ ବଳଭଦ୍ରଙ୍କୁ ଅଭୟ ନୃସିଂହ, ଦେବୀ ସୁଭଦ୍ରାଙ୍କୁ ଚକ୍ର ନୃସିଂହ ଓ ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀ ନୃସିଂହ ଭାବେ ପୂଜା କରାଯାଏ । ପୁରାଣରେ ମଧ୍ୟ ସୃଷ୍ଟିର ପ୍ରଥମ ତିନାଟି ଠାକୁର ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଯଥାକ୍ରମେ ଚକ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଓ ଅଭୟ ନୃସିଂହ ଅଟନ୍ତି । ପ୍ରତିବର୍ଷ ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ଏଠାରେ ଥିବା ନୃସିଂହଙ୍କ ନିକଟକୁ ଆଜ୍ଞାମାଳ ଆସେ । ନୃସିଂହ ଜନ୍ମ ପର୍ବ ଏହି ମନ୍ଦିରରେ ଖୁବ ଧୁମଧାମରେ ପାଳିତ ହୁଏ ।
ଭଗବାନ ବିଷ୍ଣୁଙ୍କ ଚକ୍ରକୁ ନେଇ ଏହି ଅଞ୍ଚଳର ନାମ ଚକ୍ରତୀର୍ଥ ବୋଲି ଜଣାଯାଏ । ଚକ୍ରତୀର୍ଥ ମନ୍ଦିରରେ ଥିବା ପଥର ଚକ୍ରର ରହିଛି କିମ୍ବଦନ୍ତୀ । ଲୋକକଥା ଅନୁସାରେ ନଦୀ ମୁହାଣରେ ଏକ ହାତୀ ପାଣି ପିଉଥିବା ସମୟରେ କୁମ୍ଭୀର ଆକ୍ରମଣ କରିଥିଲା, ଗଜରାଜ ରକ୍ଷା ପାଇବା ପାଇଁ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିଥିଲେ । ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ରକୁ ପଠାଇ ହାତୀକୁ ଉଦ୍ଧାର କରିଥିଲେ ।ତେବେ ଯଦୁବଂଶ ଧ୍ୱଂସ ହେବା ପରେ କୃଷ୍ଣ କୌଣସି କାରଣରୁ ପୁତ୍ର ପ୍ରଦ୍ୟୁମ୍ନଙ୍କ ଶିରଚ୍ଛେଦନ ପାଇଁ ସୁଦର୍ଶନଙ୍କୁ ଆଦେଶ ଦେଇଥିଲେ । ମାତ୍ର ସୁଦର୍ଶନ କାମସାରି ଶ୍ରୀକୃଷ୍ଣଙ୍କ ହାତକୁ ନ ଫେରି ଅନ୍ତର୍ଦ୍ଧାନ ହୋଇଗଲେ । ହିମାଳୟ ଯାତ୍ରା ସମୟରେ ପାଣ୍ଡବମାନେ ଏହାକୁ ପାଇ ମହୋଦଧିରେ ନିକ୍ଷେପ କରିଥିଲେ । ସେହିଦିନଠାରୁ ଏହି ଅଞ୍ଚଳର ନାମ ଚକ୍ରତୀର୍ଥ ବୋଲି ରଖାଯାଇଛି । ଖାଲି ସେତିକି ନୁହେଁ କିଛି ଲୋକଙ୍କ ବିଶ୍ୱାସ ରହିଛି ଯେ ପୁରୀରେ ଏକ ବାତ୍ୟାରେ ନୀଳଚକ୍ର ଉଡ଼ି ଯାଇଥିଲା ଓ ଚକ୍ରତୀର୍ଥରେ ଯାଇ ପଡ଼ିଥିଲା ।