ଓଡ଼ିଶା 365 (ବ୍ୟୁରୋ) : ୧ କିଲୋମିଟର୍ ବାଟ ଯିବାକୁ ଲାଗିଲା ୨ ଘଣ୍ଟାର ସମୟ । ସ୍କୁଲ୍ରୁ ଯାଉଥିବା ବସ୍ ପିଲାଙ୍କୁ ନେଇ ଘରେ ଛାଡ଼ିବା ବେଳକୁ ରାତି ୮ରେ ପହଂଚିଲା । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ବେଙ୍ଗାଲୁରୁ ସହରରୁ । ବେଙ୍ଗାଲୁରୁ ସହରରେ ପ୍ରବଳ ଟ୍ରାଫିକ୍ ଜାମ୍ ହେବାରୁ ଯାନବାହନ ଚଳାଚଳରେ ଭୀଷଣ ବିଭ୍ରାଟ ସୃଷ୍ଟି ହୋଇଛି । ସନ୍ଧ୍ୟା ୫ଟାରୁ ରାତି ୮ ମଧ୍ୟରେ ସହରରେ ହଠାତ୍ ଯାନବାହନ ଚଳାଚଳ ବଢ଼ିଯାଇ ଭିଷଣ ଟ୍ରାଫିକ ଜାମ ହୋଇଛି । ଏତେ ଟ୍ରାଫିକ ଜାମ ହୋଇଛି ଯେ ୧ କିଲୋମିଟର୍ ବାଟ ଯିବାକୁ ୨ ଘଣ୍ଟାର ସମୟ ଲାଗିଛି । ସୂଚନା ଅନୁସାରେ, ବୁଧବାର ଦିନ ବେଙ୍ଗାଲୁରୁରେ ଦୁଇଗଣ ଯାନବାହନ ଚଳାଚଳ କରିଥିଲା। ଅନ୍ୟାନ୍ୟ ବୁଧବାର ଦିନ ସଡ଼କରେ ୧.୫ରୁ ୨ ଲକ୍ଷ ମଧ୍ୟରେ ଯାନବାହନ ଚଳାଚଳ କରୁଥିବା ବେଳେ ଗତ ବୁଧବାର ଦିନ ସନ୍ଧ୍ୟା ୭.୩୦ ସୁଦ୍ଧା ଯାନବାହନ ସଂଖ୍ୟା ଥିଲା ୩.୫ ଲକ୍ଷରୁ ଅଧିକ। ସହରର ଆଉଟର୍ ରିଙ୍ଗ୍ ରୋଡ୍ରେ ସବୁଠୁ ଭିଡ଼ ହୋଇଥିଲା । ସେଠାରେ ୫ ଘଣ୍ଟା କାଳ ଫସି ରହିଥିବା କଥା ଲୋକେ ଅଭିଯୋଗ କରିଛନ୍ତି। ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସ ଜାରି କରିଥିବା ବିବୃତିରେ ମଧ୍ୟ କହିଛନ୍ତି ଯେ, ବୁଧବାର ସନ୍ଧ୍ୟା ବେଳେ ‘ଆଉଟର୍ ରିଙ୍ଗ୍ ରୋଡ୍’ ଓ ତା’ର ଚତୁଃପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅଭୂତପୂର୍ବ ଯାନବାହନ ଗହଳି ଦେଖାଯାଇଥିଲା।