ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ଆତଙ୍କ ଖେଲାଉଛି ଡେଙ୍ଗୁ। ଅକାଳରେ ଜଣକ ପରେ ଜଣେ ଡେଙ୍ଗୁ ସଂକ୍ରମିତଙ୍କ ଜୀବନ ଯାଉଛି । ବରଗଡ଼ ଓ ସୁନ୍ଦରଗଡ଼ ପରେ ବାଲେଶ୍ୱରରେ ଏହି ସ୍ଥିତି ଅତି ଦୟନୀୟ ଆଡ଼କୁ ଗତି କରୁଛି। ଦୀର୍ଘ ୨ ମାସ ହେଲା ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ବୁଧବାର ଗୋଟିଏ ଦିନରେ ୨ ଜଣଙ୍ର ଡେଙ୍ଗୁ ଜନୀତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୧୫ଦିନ ମଧ୍ୟରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଭୋଗରାଇର ବିଭିନ୍ନ ଗ୍ରାମରେ ବହୁ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।
ବୁଧବାର ଭୋଗରାଇ ଶଙ୍ଖାରି ଗ୍ରାମର ଜଣେ ଓ ଜଗନ୍ନାଥପୁର ପଞ୍ଚାୟତ କରଞ୍ଜାଶୋଳ ଗ୍ରାମର ଜଣଙ୍କ ଜୀବନ ଯାଇଛି । ଶଙ୍ଖାରି ଗ୍ରାମର ସୁଧୀର ମଣ୍ଡଳଙ୍କ ପତ୍ନୀ ସୁଷମା (୫୦) ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ଜ୍ୱର ନ ଛାଡ଼ିବାରୁ ପରିବାର ଲୋକେ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ରକ୍ତ ନମୁନାରୁ ଡେଙ୍ଗୁ ହୋଇଥିବା ଜଣାପଡ଼ିବା ପରେ ଡାକ୍ତର ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଜଗନ୍ନାଥପୁର ପଞ୍ଚାୟତ କରଞ୍ଜାଶୋଳ ଗ୍ରାମର ବୈକୁଣ୍ଠ ସାହୁଙ୍କ ପୁଅ ଅଜୟ (୩୮)ଙ୍କୁ ଜ୍ୱର ହେବାରୁ ଚନ୍ଦନେଶ୍ୱରର ଏକ ଘରୋଇ କ୍ଲିନିକ୍ରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଅଜୟଙ୍କ ମୃତ୍ୟୁ ହୋଇଛି । ଏଣୁ ତୁରନ୍ତ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୋଗରାଇବାସୀ ଦାବି କରିଛନ୍ତି।