ଓଡ଼ିଶା 365 (ବ୍ୟୁରୋ) : ଫିକାପଡିଲା ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ। ରାଜକୋଟ୍ରେ ଖେଳା ଯାଇଥିବା ଶେଷ ଦିନିକିଆରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଅଷ୍ଟ୍ରେଲିଆ ନିକଟରୁ ଭାରତ ୬୬ ରନରେ ପରାସ୍ତ ହୋଇଛି । ପରାଜୟ ସତ୍ତ୍ଵେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ବିଶ୍ଵକପ୍ ପୂର୍ବରୁ ସିରିଜର ଶେଷ ମ୍ୟାଚ୍ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମିଚେଲ୍ ମାର୍ଶଙ୍କ ୯୬ ରନ, ଷ୍ଟିଭ୍ ସ୍ମିଥଙ୍କ ୭୪ ରନ କରି ନିଜର ବ୍ୟକ୍ତିଗତ ୫୦୦୦ ରନ୍ ପୂରଣ କରିଥିଲେ, ସେହିପରି ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୬ ରନ ଓ ମାର୍ନସ ଲାବୁସେନଙ୍କ ୭୨ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ ସ୍କୋର କରିଥିଲା ।
ଜବାବରେ ଭାରତ ରୋହିତ ଶର୍ମାଙ୍କ ୮୧ ରନ, ବିରାଟ କୋହଲିଙ୍କ ୬୫ ରନ ଓ ଶ୍ରେୟସ ଆୟରଙ୍କ ୪୮ ରନ ସତ୍ତ୍ଵେ ୪୯.୪ ଓଭରରେ ୨୮୬ ରନରେ ସୀମିତ ରହିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମ୍ୟାକ୍ସଓ୍ଵେଲ୍ ୪ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି । ଅକ୍ଟୋବରରୁ ଆରମ୍ଭ ହେବ ଭାରତରେ ବିଶ୍ୱକପ୍ ।