ଓଡ଼ିଶା 365 (ବ୍ୟୁରୋ): ସ୍କୁଲ ସମୟରେ ମଦ ନିଶାରେ ଚୁରହୋଇ ସ୍କୁଲ ହତାରେ ଗଡ଼ିଲେ ପ୍ରଧାନଶିକ୍ଷକ। ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଆସିଥିଲେ, ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନ ଶିକ୍ଷକ ନିଶାରେ ଚୁରହୋଇ ହତାରେ ଗଡ଼ୁଥିଲେ। ସାର୍ଙ୍କ ଏପରି ଅବସ୍ଥା ଦେଖି ପିଲାମାନେ କିଛି ବୁଝି ପାରିନଥିଲେ। ସେମାନେ ସଙ୍ଗେ ସଙ୍ଗେ ଅଭିଭାବକଙ୍କୁ ଜଣାଇଥିଲେ। ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ପାଣି ଛିଞ୍ଚାଛିଞ୍ଚି କରିଥିଲେ। ହେଲେ ନିଶାରେ ଥିବାରୁ ସାର୍ ଉଠିବା ଅବସ୍ଥାରେ ନଥିଲେ। ମଦ୍ୟପ ସାରଙ୍କ ଏପରି ଅବସ୍ଥାର ଚିତ୍ରକୁ ଭିଡ଼ିଓରେ କଏଦ କରିଥିଲେ ଅଭିଭାବ। ଆଉ ସେହି ଭିଡିଓକୁ ସୋଶାଲ୍ ମିଡ଼ିଆରେ ଛାଡ଼ି ଦେଇଥିଲେ। ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରୁ।
ହରିଚନ୍ଦନପୁର ବ୍ଲକ୍ ବଡ଼ପଳାଶ ପାଳ ପଞ୍ଚାୟତ ଗରହଡ଼ ବାହାଳରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ। ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରଧାନଶିକ୍ଷକ ବସନ୍ତ କୁମାର ମୁଣ୍ଡାଙ୍କୁ ମିଶାଇ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଅଛନ୍ତି। ଆଜି ସକାଳେ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ ଶ୍ରୀ ମୁଣ୍ଡା। ବିଦ୍ୟାଳୟ ଆସିଲା ବେଳେ ସେ ନିଶା ସେବନ କରି ଆସିଥିଲେ। ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ନିଶା ତାଙ୍କ ମୁଣ୍ଡକୁ ଉଠି ଯାଇଥିଲା। ସେ ଚାଲିବା ଅବସ୍ଥାରେ ନଥିଲେ। କଷ୍ଟମଷ୍ଟେ ଗେଟ୍ ଖୋଲି ବିଦ୍ୟାଳୟ କ୍ୟାମ୍ପସ ଭିତରକୁ ଯାଇଥିଲେ। ହେଲେ ଶ୍ରେଣୀ ଗୃହ ଓ ଅଫିସ୍ର ତାଲା ଖୋଲି ପାରିଲେ ନାହିଁ। ତେଣୁ ସେ ଶ୍ରେଣୀ ଗୃହ ଆଗରେ ନିଶାରେ ଗଡ଼ୁଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଘଟଣାର ତଦନ୍ତ ପାଇଁ ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ ସିଆର୍ସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।