ଓଡ଼ିଶା 365 (ବ୍ୟୁରୋ) : ଇରାକରେ ବିବାହ ମଣ୍ଡପରେ ନିଆଁ ଲାଗିବା ଘଟଣାରେ ମୃତାହତଙ୍କୁ ସମସ୍ତ ପ୍ରକାର ସହାୟତା ଘୋଷଣା କଲେ ଇରାକ ରାଷ୍ଟ୍ରପତି । ଏହା ସହ ଉଦ୍ଧାରକାର୍ଯ୍ୟକୁ ମଧ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । ସୂଚନା ଅନୁସାରେ, ବିବାହ ସେଲିବ୍ରେସନ୍ ସମୟରେ ଏହି ଅଘଟଣ ଘଟିଛି । ଘଟଣାରେ ବର,କନ୍ୟାଙ୍କ ଜୀବନ ମଧ୍ୟ ଚାଲିଯାଇଥିବା ଜଣାପଡିଛି । ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ୧୫୦ରୁ ଅଧିକ ଲୋକ ପୋଡି ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଜାରି ରହିଛି । ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ । ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଛଛି । ବାଣ ଫୁଟିବା ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ପରେ ସମଗ୍ର ଅଂଚଳରେ ଆତଙ୍କ ଖେଳିଯାଇଛି । ବାଣ ନିଆଁ ପଡ଼ି ବିବାହ ମଣ୍ଡପ ସଂପୂର୍ଣ୍ଣ ପୋଡି ଯାଇଛି । ଘଟଣା ସ୍ଥଳରେ ହିଁ ଅନେକଙ୍କର ଜୀବନ ଯାଇଥିବା କୁହାଯାଉଛି । ଖବର ପାଇ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ ।