ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଘାତକ ହେଉଛି ସ୍କ୍ରବ ଟାଇଫସ୍ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ବରଗଡ ପରେ ସୁନ୍ଦରଗଡ଼ ଜିଲ୍ଲାରେ ଖେଳିଛି ଆତଙ୍କ। ଫଳରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୪୪ ରୁ ଟପିଗଲାଣି । ଅନେକ ଆକ୍ରାନ୍ତ ମେଡିକାଲ ଭର୍ତ୍ତି ହୋଇଛନ୍ତି । ବିଶେଷ କରି ସୁନ୍ଦରଗଡରେ ଏହି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାରୀ ରିପୋର୍ଟରେ ବରଗଡ଼ର ମୃତ୍ୟୁସଂଖ୍ୟା ୬ଥିବାବେଳେ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ରହିଛି। ବରଗଡରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା୧୨ ରହିଛି। ବରଗଡରେ ଅନେକଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଯାଇଥିବାବେଳେ ସୁନ୍ଦରଗଡର ସ୍ଥିତି ମଧ୍ୟ ସଙ୍ଗିନ ହେଲାଣି।ବାସ୍ତବ ଆକ୍ରାନ୍ତଙ୍କ ଗୋଟିଏ ତଥ୍ୟ ସାମନାକୁ ଆସୁଥିବାବେଳେ ସରକାରୀ କାଗଜ କଲମରେ ତଥ୍ୟ କିନ୍ତୁ ଭିନ୍ନ। ସରକାର ଅଧିକାରୀ କହୁଛନ୍ତି ସଚେତନ କାର୍ଯ୍ୟକ୍ରମ ଚାଲିଛି ଲୋକେ ସଚେତନ ହେଉଛନ୍ତି। ମାତ୍ର ସ୍ଥାନୀୟ ଲୋକ ଏନେଇ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି। ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍ସ ସଂକ୍ରମଣ ଅଧିକ ଦେଖିବାକୁ ମିଳିଥାଏ ।
ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ଆଉ ଥରେ ଜ୍ୱର ହେଲେ ଛାଡିବା ହେଉଛି ମୁସ୍କିଲ। ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସର୍ବସାଧାରଣ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳେ । ଏହି କୀଟ ଦଂଶନର ଶିକାର ହେଲେ। ମାରାତ୍ମକ ରୋଗକୁ ସଠିକ ସମୟରେ ଚିହ୍ନଟ କରାଯିବା ସହ ଏହି ରୋଗ ହେବାର ୧୪ ଦିନ ମଧ୍ୟରେ ଏହି ରୋଗରୁ ସୁସ୍ଥ ମଧ୍ୟ ହୋଇପାରିବେ। ତେଣୁ ସରକାର ଏ ଦିଗରେ ଅଧିକ ସଚେତନ ହେଲେ ଆକ୍ରାନ୍ତ ସଂଖ୍ୟା କମିବା ସହ ମୃତ୍ୟୁ ମୁଖରୁ ଲୋକେ ରକ୍ଷା ପାଇପାରନ୍ତେ।