ଓଡ଼ିଶା 365 (ବ୍ୟୁରୋ): ସମ୍ବଲପୁରରେ ୩ ଟଙ୍କା ପାଇଁ ୨୫ ହଜାର ଗଣିଲେ ଜେରକ୍ସ ଦୋକାନୀ। ଜେରକ୍ସ କରିବାକୁ ଆସିଥିବା ଗ୍ରାହକଙ୍କ ଠାରୁ ମୂଲ୍ୟ ଠୁ ଅଧିକ ଟଙ୍କା ନେବା ପରେ ଦୋକାନୀ-ଗ୍ରାହକଙ୍କ ମଧ୍ୟରେ ବଟସା ହୋଇଥିଲା। ଏହା ପରେ ଗ୍ରାହକ ଜଣକ ଆଇନର ଆଶ୍ରୟ ନେଇଥିଲେ। ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ସହ ଝଗଡା କଲେ । ଅପମାନିତ ବି କଲେ । ଏବେ ୩ ଟଙ୍କା ବଦଳରେ ସେ ଗ୍ରାହକଙ୍କୁ ଗଣିବେ ୨୫ ହଜାର ଟଙ୍କା । କାରଣ ଏମିତି ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ ।
ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାସ ଗତ ଏପ୍ରିଲ ୨୮ ତାରିଖରେ ଘଟଣାଟି ସମ୍ବଲପୁର ବୁଢାରାଜାର ଗୋୟଲ ପ୍ରିଣ୍ଟିଂ ଜୋନ ନାମକ ଏକ ଜେରକ୍ସ ଦୋକାନରେ ଏକ କାଗଜ ଜେରକ୍ସ କରିଥିଲେ । ଜେରକ୍ସ ଫି ୨ ଟଙ୍କା ଥିବାବେଳେ ଦାସ ତାଙ୍କ ୫ ଟଙ୍କା ବଢାଇଥିଲେ । ହେଲେ ଦୋକାନୀ ତାଙ୍କୁ ଆଉ ୩ ଟଙ୍କା ଫେରାଇ ନ ଥିଲେ । ଟଙ୍କା ଫେରାଇବା ବଦଳରେ ଯୁକ୍ତିତର୍କ କରିଥିଲେ । ଶେଷରେ ପ୍ରଫୁଲ୍ଲ ଦାସ ବାରମ୍ବାର ଟଙ୍କା ମାଗିବାରୁ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ୫ ଟଙ୍କା ଯାକ ଫେରାଇ ଦେଇଥିଲେ ଏବଂ ତାଙ୍କୁ ଅପମାନ ଦେବା ପରି କଥା କହିଥିଲେ । ଏହାର ପ୍ରତିବାଦରେ ପ୍ରଫୁଲ୍ଲ ଦାସ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୫ ହଜାର ଟଙ୍କା ପ୍ରଫୁଲ୍ଲ ଦାସଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କା ୩୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ରହିଛି ।