ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସର ପ୍ରଶ୍ନକାଳରେ ବାଚସ୍ପତିଙ୍କୁ ‘ଅପା’ ସମ୍ବୋଧନ କଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରଶ୍ନକାଳ ସମୟରେ ନୂତନ ଭାବେ ବାଚସ୍ପତି ଦାୟିତ୍ୱ ନେଇଥିବା ପ୍ରମିଳା ମଲ୍ଲିକଙ୍କୁ ‘ଅପା’ ବୋଲି କହି ସମ୍ବୋଧନ କରିଛନ୍ତି କୃଷି ମନ୍ତ୍ରୀ । ଯାହାକୁ ନେଇ ନିଜ ନିଜ ସ୍ଥାନରେ ବସି ଆପତି ଉଠାଇଥିଲେ ବିରୋଧୀ ବିଜେପି ଓ କଂଗ୍ରେସ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ବାହୀନିପତି ଏହାକୁ ବିରୋଧ କରିଥିଲେ। ବିରୋଧୀଙ୍କ ଆପତ୍ତି ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହାତଯୋଡ଼ି କଥା ବଦଳାଇଛନ୍ତି। କହିଛନ୍ତି, ସବୁବେଳେ ‘ଅପା’ ବୋଲି ଡାକନ୍ତି ତେଣୁ ପାଟିରୁ ‘ଅପା’ ଶବ୍ଦ ବାହାରିଗଲା, ଯଦି ଆପଣମାନେ କହୁଛନ୍ତି ତେବେ ଅନରେବଲ ସ୍ପିକର ମ୍ୟାଡମ ଯଥା ‘ଅପା’ ବୋଲି କହି ପୁଣି ଥରେ ସମ୍ବୋଧନ କରିଥିଲେ କୃଷିମନ୍ତ୍ରୀ ।