ଓଡ଼ିଶା 365 (ବ୍ୟୁରୋ): ସଡ଼କ ସୁରକ୍ଷା ନିୟମ ଉଲଙ୍ଘନ କରି ରାଜ୍ୟରେ ୩ ବର୍ଷରେ ତଣ୍ଡ ଗଣିଛନ୍ତି ଅମାନିଆ ୧୮୬ କୋଟି ଟଙ୍କା। ଟୁଇନସିଟି କଟକ-ଭୁବନେଶ୍ୱରେ ହେଲମେଟ ନ ପିନ୍ଧିବାରୁ ପାଖାପାଖି ୮ ଲକ୍ଷ ଅମାନିଆ ୮୫ କୋଟି ଟଙ୍କା ଜରିମାନା ଗଣିଛନ୍ତି । ଖାଲି ସେତିକି ନୁହେଁ, ମୋବାଇଲ୍ରେ ଗପୁଥିବା ୧୪ ହଜାର ଅମାନିଆଙ୍କଠୁ ପ୍ରାୟ ୬ କୋଟି ଜରିମାନା ଆଦାୟ ହୋଇଛି । ଏହାସହ ଅନ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ଲଂଘିଥିବା ଅମାନିଆ ଗତ ୩ ବର୍ଷରେ ମୋଟ ୧୮୬ କୋଟି ୪ ଲକ୍ଷ ୫୫ ହଜାର ୪୪୦ ଟଙ୍କା ତଣ୍ଡ ଗଣିଛନ୍ତି । ରାଜଧାନୀ ତୁଳନାରେ କଟକରୁ ଦୁଇଗୁଣା ଅଧିକ ଅମାନିଆ ଧରାପଡି଼ଥିବା ଜଣାପଡ଼ିଛି ।
ଟୁଇନ୍ସିଟି କମିଶନରେଟ୍ ପୁଲିସର ତଥ୍ୟ ମୁତାବକ, ୨୦୨୦ରୁ ୨୦୨୨ ମସିହା ଭିତରେ ଟୁଇନ୍ସିଟିରେ ୧୮ ଲକ୍ଷ ୫୨ହଜାର ୩୯୪ ଜଣ ସଡ଼କ ସୁରକ୍ଷା ନିୟମ ଭାଙ୍ଗିଥିଲେ । ଯାହା ରାଜଧାନୀ ତୁଳନାରେ ୨ଗୁଣା ଅଧିକ କଟକରେ ନିୟମ ଖିଲାପ କରିଛନ୍ତି । ଅର୍ଥାତ୍ ଏହି ୩ ବର୍ଷରେ କଟକ ସହରାଞ୍ଚଳ ଜିଲ୍ଲା ପୁଲିସ(ୟୁପିଡି) ଅଧୀନରେ ମୋଟ ୧୨ ଲକ୍ଷ ୩୪ ହଜାର ୯୫୪ଜଣ ନିୟମ ଲଂଘିଛନ୍ତି । ସେହିପରି ଭୁବନେଶ୍ୱର ୟୁପିଡିରେ ୬ ଲକ୍ଷ ୧୭ ହଜାର ୪୪୦ଜଣ ଅମାନିଆ ତଣ୍ଡ ଗଣିଛନ୍ତି । ଯାହାକି କଟକ ତୁଳନାରେ ଅଧାରୁ କମ୍ । ନିୟମ ଖିଲାପକାରୀଙ୍କ ମଧ୍ୟରେ ସର୍ବାଧିକ ବିନା ହେଲ୍ମେଟ୍ଧାରୀ ଚାଳକ । ଟୁଇନ ସିଟିରେ ୮ ଲକ୍ଷ ୬୬ ହଜାର ୪୬୪ ଜଣ ଚାଳକ ଓ ଆରୋହୀ ହେଲ୍ମେଟ୍ ନ ପିନ୍ଧି ମୋଟ ୮୫ କୋଟି ୬ ଲକ୍ଷ ୭୨ ହଜାର ୭୦୦ ଟଙ୍କା ଜରିମାନା ଗଣିଛନ୍ତି । ଯେଉଁଥିରୁ ସର୍ବାଧିକ କଟକରେ ୪ ଲକ୍ଷ ୬୧ ହଜାର ୧୨୪ଜଣ ଅଛନ୍ତି । ଭୁବନେଶ୍ୱରରୁ ୪ ଲକ୍ଷ ୫ ହଜାର ୩୪୦ଜଣ, କଟକରୁ ୪ ଲକ୍ଷ ୬୧ ହଜାର ୧୨୪ଜଣ ହେଲ୍ମେଟ୍ ନ ପିନ୍ଧି ତଣ୍ଡ ଗଣିଥିଲେ ।
ସେହିପରି ଗାଡି଼ ଚଳାଇବା ବେଳେ ମୋବାଇଲରେ କଥା ହୋଇ ଟୁଇନ୍ସିଟିରେ ୧୪ ହଜାର ୮୬୫ ଜଣ ଚାଳକ ମୋଟ ୬ କୋଟି ୬୫ ଲକ୍ଷ ୧୨ ହଜାର ୮୦୦ ଟଙ୍କା ଜରିମାନା ଭରିଛନ୍ତି । ବିନା ସିଟ୍ ବେଲ୍ଟରେ ୧୯ ହଜାର ୬୪୩ ଜଣ କାରଚାଳକ ଓ ଆରୋହୀ ଧରାପଡ଼ିଛନ୍ତି । ସେମାନଙ୍କଠୁ ମୋଟ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ ଟଙ୍କା ଆଦାୟ ହୋଇଛି । ରଙ୍ଗ୍ ରୁଟରେ ଗାଡି଼ ଚଳାଇ ୧୮,୭୨୫ ଜଣଙ୍କଠାରୁ ୮ କୋଟି ୬୬ ଲକ୍ଷ ୯ ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ମଦ୍ୟପାନ କରି ପୁଲିସ ପଞ୍ଝାରେ ପଡି଼ଥିବା ୫ହଜାର ୬୨୮ ଜଣ ଅମାନିଆ ମୋଟ ୨ କୋଟି ୮୦ ଲକ୍ଷ ୮ ହଜାର ଟଙ୍କା ତଣ୍ଡ ଗଣିଛନ୍ତି । ସେହିପରି ନିୟମ ଫାଙ୍କିଥିବା ୯ ଲକ୍ଷ ୨୭ ହଜାର ୫୯ଜଣ ୩ ବର୍ଷରେ ମୋଟ ୯୧ କୋଟି ୨୬ ଲକ୍ଷ ୧ ହଜାର ୭୪୦ ଟଙ୍କା ଜରିମାନା ଗଣିଛନ୍ତି ।