ଓଡ଼ିଶା 365 (ବ୍ୟୁରୋ) : ଅମୃତସରରେ ଉତ୍ତର ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଯୋଗଦେଇଛନ୍ତି । ଏହି ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି, ସୁରକ୍ଷାକୁ ମଜବୁତ କରିବା ପାଇଁ ଅନ୍ତର୍ଜାତୀୟ ସୀମାରେ ଆଣ୍ଟି ଡ୍ରୋନ ସିଷ୍ଟମ ନିୟୋଜିତ କରାଯିବ। ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ କେନ୍ଦ୍ର ସରକାର ପ୍ରତିସୁତି ବଦ୍ଧ ଅଟନ୍ତି ।ଦେଶର ସୀମାରେ ଖୁବ୍ଶୀଘ୍ର ଆଣ୍ଟି ଡ୍ରୋନ ବ୍ୟବସ୍ଥା ନିୟୋଜିତ ହେବ ବୋଲି ମଧ୍ୟ ଶାହ କହିଛନ୍ତି ।
ସେହିପରି ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ଜମ୍ମୁ- କଶ୍ମୀର, ଲଦାଖ ଏବଂ ଚଣ୍ଡିଗଡ଼ର ପରିଷଦର ସଦସ୍ୟମାନଙ୍କୁ ଆଲୋଚନା ମାଧ୍ୟମରେ ଜଳ ବଣ୍ଟନ ସମ୍ବନ୍ଧୀୟ ବିବାଦର ସମାଧାନ କରିବାକୁ କହିଛନ୍ତି । ଏହାସହ ଏହି ଅଞ୍ଚଳର ସୁରକ୍ଷା ତଥା ବିକାଶ ପାଇଁ ମୋଦି ସରକାର ଉତ୍ସର୍ଗୀକୃତ । ଆମର ସୁରକ୍ଷା ଏଜେନ୍ସିଗୁଡ଼ିକର ନିରନ୍ତର ସଜାଗତା ଏହି ଅଞ୍ଚଳରେ ଆତଙ୍କବାଦୀ ତଥା ଡ୍ରଗ ଚୋରା ଚାଲାଣକାରୀଙ୍କ ବିରୋଧରେ ଅନେକ ସଫଳ ଅପରେଶନ କରିଛି। ଏହି ଅଞ୍ଚଳର ସୁରକ୍ଷା ନେଟୱାର୍କକୁ ଆହୁରି ମଜବୁତ କରିବା ପାଇଁ ଖୁବ୍ଶୀଘ୍ର ଆମ ଦେଶର ସୀମାରେ ଏକ ଡ୍ରୋନ ବିରୋଧୀ ବ୍ୟବସ୍ଥା ନିୟୋଜିତ ହେବ ବୋଲି କହିଛନ୍ତି ଅମିତ ଶାହ।