ଓଡ଼ିଶା 365 (ବ୍ୟୁରୋ) : ବୃଦ୍ଧି ପାଇବାରେ ଲାଗିଛି ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ଭାବେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ ପୁଣି ଜିଲ୍ଲାରେ ୬ଜଣ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୨୫୦ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।
ଖବର ଅନୁଯାୟୀ, ଜିଲ୍ଲାରେ ୪୦ଟି ରକ୍ତ ନମୁନା ପରୀକ୍ଷା ହେବା ପାଇଁ ଯାଇଥିଲା । ଯେଉଁଥିରେ ୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଆଉ ବାକି ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ଉପରେ ଲଗାତାର ଭାବେ ନଜର ରଖାଯାଇଛି ବୋଲି ।
ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଲୋକଙ୍କ ସ୍କ୍ରବ୍ ଟାଇଫସ ନେଇ ସଚେତନ କରାଯାଉଛି ।
ତେବେ ତୁଳନାତ୍ମକ ଦେଖିଲେ ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ୨୦ ଯାଏ ସରକାରୀ ଭାବେ ୨୦୦ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜାନୁଆରୀ ୧ ତାରିଖରୁ ଏହି ରୋଗର ଲକ୍ଷଣ ଦେଖା ଦେବା ପରେ ଡାକ୍ତରମାନେ ରକ୍ତ ନମୁନା ପରୀକ୍ଷା କରାଇବା ଆରମ୍ଭ କରିଥିଲେ । ହେଲେ ସେପ୍ଟେମ୍ବର ୧୨ ତାରିଖ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ରହିଥିଲା ।
ସେପ୍ଟେମ୍ବର ୧୨ରୁ ସ୍କ୍ରବ୍ ଟାଇଫସ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୩ରୁ ୧୫ ତାରିଖ ଯାଏ ୩୨ ଜଣ ସଂକ୍ରମିତ ହେବାରୁ ଏହି ସଂଖ୍ୟା ବଢ଼ିକି ୧୬୪ରେ ପହଞ୍ଚିଲା । ୧୬ ତାରିଖରେ ୫୪ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୪ ଜଣ ପିଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଥିଲା ।କିନ୍ତୁ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୫୦କୁ ପହଁଞ୍ଚିଛି ।