ଓଡ଼ିଶା 365 (ବ୍ୟୁରୋ) : ଆଦିତ୍ୟ-ଏଲ୍୧ ମହାକାଶ ଯାନ ଏହାର ଗନ୍ତବ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧) ଅଭିମୁଖେ ଯାତ୍ରା କରୁଛି । ଏହା ଏମିତି ଏକ ସ୍ଥାନ ଯେଉଁଠି ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି କ୍ଷୁଦ୍ର ମହାକାଶ ଯାନର ବର୍ତ୍ତୁଳାକାର ଗତିକୁ ସନ୍ତୁଳିତ କରିଥାଏ। ଫଳରେ ମହାକାଶ ଯାନଟି ସେଠାରେ ସ୍ଥିର ହୋଇ ରହିଯାଏ । ଏଠାରେ କକ୍ଷ ସଂଶୋଧନ ପାଇଁ ସର୍ବନିମ୍ନ ଇନ୍ଧନ ବ୍ୟୟ ହୁଏ। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ସୂର୍ଯ୍ୟ-ପୃଥିବୀର ଏଲ୍୧ ପଏଣ୍ଟରେ ଆଦିତ୍ୟ-ଏଲ୍୧ ଏକ ‘ହଲୋ ଅର୍ବିଟ୍’ରେ ରହି କାର୍ଯ୍ୟ କରିବ ବୋଲି ଇସ୍ରୋ ସୂଚନା ଦେଇଛି । ଏଲ୍୧ ପଏଣ୍ଟରେ ପୂର୍ବରୁ କେତେକ ମହାକାଶ ଯାନ ରହିଥିବାରୁ ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଦିତ୍ୟ-ଏଲ୍୧ର ସୁରକ୍ଷା ପାଇଁ ମହାକାଶ ସ୍ଥିତି ଆକଳନ କରୁଛି। ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍୧କୁ ଲଞ୍ଚ୍ କରାଯାଇଥିଲା। ପୃଥିବୀ ଚାରିପଟେ ଏହା ଏକାଧିକ ଥର ପରିକ୍ରମା କରିବା ପରେ ଗତ ୧୮ରେ ଏଲ୍୧ ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଛି। ୨୦୨୪ ମସିହା ଜାନୁୟାରୀ ମାସରେ ଏହି ମହାକାଶ ଯାନ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ହେଉଛି ଭାରତର ପ୍ରଥମ ସୂର୍ଯ୍ୟ ମିଶନ ।