ଓଡ଼ିଶା365(ବ୍ୟୁରୋ): ସମସ୍ତେ ଚାହାନ୍ତି ସାରା ଜୀବନ ଯୁବକ ରହିବାକୁ। ଅଏସ ଆରାମରେ ସମୟ ଅତିବାହିତ କରିବାକୁ। ମାତ୍ର ସାରା ଜୀବନ ଯୁବକ ରହିବା ସମ୍ଭବପର ନୁହେଁ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଣେ ଯୁବକ ବାର୍ଦ୍ଧକ୍ୟ ଅବସ୍ଥାରୁ ରକ୍ଷା ପାଇପାରିଛନ୍ତି । ଏ କଥା ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଯୁବା ରହିବା ପାଇଁ ବର୍ଷକୁ ୧୬ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବ୍ରିଅନ୍ ଜନସନ। ଶରୀରକୁ ବାର୍ଦ୍ଧକ୍ୟ ଅବସ୍ଥାରୁ ରକ୍ଷା କରିବା ପାଇଁ ସେ ଦିନକୁ ୧୧୧ଟି ବଟିକା ଖାଉଥିବା ସେ କହିଛନ୍ତି। ଟାଇମ୍ ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ନିଜ ବିଷୟରେ ଏମିତି କହିଛନ୍ତି ବ୍ରିଅନ। ସାକ୍ଷାତକାର ସମୟରେ ବ୍ରିଅନ ଆହୁରି କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟ ଅଗ୍ରଗତି ଉପରେ ନଜର ରଖିବା ପାଇଁ ସେ ବିଭିନ୍ନ ହେଲଥ ମନିଟରିଂ ଉପକରଣ ମଧ୍ୟ ବ୍ୟବହାର କରନ୍ତି। ସେ ଏକ ବେସବଲ୍ କ୍ୟାପ୍ ପିନ୍ଧନ୍ତି, ଯାହା ତାଙ୍କ ତ୍ୱଚା ଉପରେ ଏକ ଲାଲ୍ ଆଲୋକ ପକାଇଥାଏ। ଷ୍ଟୁଲ୍ ନମୁନା ସଂଗ୍ରହ କରିଥାଏ। ଏଥିସହ ରାତି ସମୟର ଶରୀରର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ତାଙ୍କ ଗୁପ୍ତାଙ୍ଗରେ ଏକ ଛୋଟ ଜେଟ୍ ପ୍ୟାକ୍ ଲଗା ଯାଇଥାଏ।
ସେ ତାଙ୍କ ସମଗ୍ର ଶରୀରକୁ ଆଣ୍ଟି-ଏଜିଂ ଆଲଗୋରିଦମକୁ ଫେରାଇବାକୁ ଚାହୁଁଥିବା କହିଛନ୍ତି। ଏପରି କରିବାର ଲକ୍ଷ୍ୟ ହେଉଛି ୪୬ ବର୍ଷ ବୟସ୍କ ଅଙ୍ଗଗୁଡ଼ିକୁ ୧୮ ବର୍ଷ ବୟସ୍କ ଅଙ୍ଗ ପରି ଦେଖାଯିବା। ୪୬ ବର୍ଷୀୟ ବ୍ରିଅନ ଜନସନ ମାତ୍ର ୩୦ ବର୍ଷ ବୟସରେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ତାଙ୍କ ପେମେଣ୍ଟ ପ୍ରକ୍ରିୟାକରଣ କମ୍ପାନୀ ବ୍ରେଣ୍ଟ୍ରି ପେମେଣ୍ଟ ସଲ୍ୟୁସନକୁ E-Bayକୁ ୬ ହଜାର କୋଟି ଟଙ୍କାରେ ବିକ୍ରି କରି ଚର୍ଚ୍ଚାରେ ଥିଲେ। ଜନସନ ନିଜ ସିକ୍ରେଟ ବିଷୟରେ ଆଉ ଏକ ସୂଚନା ଦେଇ କହିଛନ୍ତି, ସେ ପ୍ରତିଦିନ ଦିନ ୧୧ଟାରେ ରାତ୍ରି ଭୋଜନ ଶେଷ କରନ୍ତି। ଫର୍ଚ୍ୟୁନ୍ ରିପୋର୍ଟ ଅନୁସାରେ, ଜନସନ ତାଙ୍କ କିଶୋର ପୁଅ ସହ ନିଜ ରକ୍ତ ଅଦଳବଦଳ କରିଛନ୍ତି। ସେ ଦିନକୁ ୧୦୦ରୁ ଅଧିକ ସପ୍ଲିମେଣ୍ଟ ଖାଇଆନ୍ତି। ୩୦ ଜଣିଆ ଏକ ଡାକ୍ତରୀ ଟିମ୍ ଦୈନିକ ତାଙ୍କ ଶରୀରର ଫ୍ୟାଟ୍ ସ୍କାନ୍ ଏବଂ ରୁଟିନ୍ ଏମଆରଆଇ କରନ୍ତି। କୋଲୋନ, ଶୁକ୍ରାଣୁ ଏବଂ କ୍ରିଏଟିନ୍ ଭଳି ଉପାଦାନରେ ପ୍ୟାକ୍ ହୋଇଥିବା ଏକ ‘ଗ୍ରିନ୍ ଜିଆଣ୍ଟ’ରୁ ନିଜର ଦିନ ଆରମ୍ଭ କରନ୍ତି ବୋଲି ଫର୍ଚ୍ୟୁନ୍ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ଏବେ ବ୍ରିଅନ ଜନସନଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୩ ହଜାର କୋଟି ଡଲାର।