ଓଡ଼ିଶା 365 (ବ୍ୟୁରୋ): ଆଜି ଭାଦ୍ରବ ମାସ ଶୁକ୍କପକ୍ଷ ଦ୍ୱାଦଶୀ ତିଥି। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି । ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗ ନୀତି ପରେ ଟେରା ପଡ଼ି ଜୟ-ବିଜୟ ଦ୍ବାର ବନ୍ଦ କରାଯାଇଥିଲା। ଏହାପରେ ଭିତର କାଠ ପାଖରେ ମୁରୁଜରେ ମଣ୍ଡଳ କଟାଯାଇଛି । ମୁଦିରସ୍ତ ଧଣ୍ଡିପ୍ରସାଦ ଲାଗି କଲା ପରେ ବାମନ ମଣ୍ଡଳକୁ ବିଜେ କରିବେ। ବଣିଆ ସେବକ ଦେଇଥିବା ସୁନା ବାମନ ପ୍ରତିମାଙ୍କ ନିକଟରେ ବରୁଣ ପୂଜା, ବ୍ରହ୍ମବରଣ ନୀତି ଅନୁଷ୍ଠିତ ହେବା ପରେ ଖଣ୍ଡୁଆ ଯୋଡ଼ାଯାଇ ଜନ୍ମବିଧି ଅନୁଷ୍ଠିତ ହେବ। ଏହା ପରେ କ୍ଷୀର, ସର, ଲହୁଣୀ ଭୋଗ ହୋଇ ସୋମନାଥ ମାଜଣା ମଣ୍ଡପ ଖଟକୁ ବିଜେ କରିବେ। ପରେ ପତି ମହାପାତ୍ର ରୁପା ବଟାରେ ଶ୍ରୀଦୁର୍ଗା ଦେବୀଙ୍କୁ ସୋମନାଥ ମଣ୍ଡପରେ ବିଜେ କରାଇବେ। ଏଠାରେ ବସୁଧାରା ଓ ଯଜ୍ଞ ବିଧି ପରେ ଶୀତଳ ଭୋଗ, ବନ୍ଦାପନା ହୋଇ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ ।
ଏହି କ୍ରମରେ ଆଜି ରାତିରେ ରାଜନଅରରେ ପାଳିତ ହେବ ସୁନିଆଁ ପର୍ବ । ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ଠାରୁ ଆରମ୍ଭ ହୋଇଛି ମହାରାଜଙ୍କ ଶାସନର ୬୬ ଅଙ୍କ ଓ ୧୪୩୧ ସାଲ୍ । ଗଜପତି ମହାରାଜା ଙ୍କ ନାମ ସହ ନୂଆ ସାଲ ଓ ନୂଆ ଅଙ୍କ ଉଲ୍ଲେଖ ଥିବା ସୁବର୍ଣ୍ଣ ମୁଦ୍ରା ଆଜିଠାରୁ ପ୍ରଚଳିତ ହେବ। ପାରିଷଦ ବର୍ଗ ଏହିଅବସରରେ ଗଜପତି ମହାରାଜଙ୍କୁ ସୁନିଆଁ ଭେଟି ପ୍ରଦାନ କରିବେ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ରାଜପ୍ରସାଦ । ପାରିଷଦ ବର୍ଗ ଗଜପତି ମହାରାଜଙ୍କୁ ବନ୍ଦାପନା ସହ ସୁନିଆଁ ଭେଟି ପ୍ରଦାନ କରିବେ। ବିଜେ କାହାଳୀ ସହ ସୁନିଆଁ ପର୍ବ ବେଶ୍ ଧୁମ୍ ଧାମରେ ଶ୍ରୀନହର ରେ ପାଳନ କରାଯିବ।
କହିରଖୁ କି,ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ଆରମ୍ଭର ପ୍ରଥମ ଦିନ ହେଉଛି ଏହି ସୁନିଆଁ ପର୍ବ। ପ୍ରତିବର୍ଷ ଏହି ଦିନ ଗଜପତି ମହାରାଜଙ୍କ ନୂଆ ଅଙ୍କ ଗଣନା କରାଯାଇଥାଏ । ସୁନିଆଁର ଅର୍ଥ ଏକ ସୁବର୍ଣ୍ଣ ମୋହରରେ ଅଙ୍କ କଷିବା । ଏହି ଅବସରରେ ଗଜପତି ମହାରାଜ ଗାଦି ଘରକୁ ବିଜେ କରିବେ। ସେଠାରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ।ପଞ୍ଚଦେବ ଙ୍କୁ ପୂଜା ସହ ମଙ୍ଗଳାର୍ପଣ କରାଯିବ। ପରେ ଗଜପତି ମହାରାଜ ଗାଦିରେ ଅଧିଷ୍ଠିତ ହେବେ ଏହାପରେ ତାଙ୍କ ନାଁରେ ସୁନାର ନୂଆ ମୁଦ୍ରା ପ୍ରଚଳିତହେବ। ଯେଉଁଥିରେ ନୂଆ ଅଙ୍କ ଓ ସାଲ୍ ଉଲ୍ଲେଖ ରହିବ। ପାରିଷଦ ବର୍ଗ ଏହିଅବସରରେ ଗଜପତି ମହାରାଜ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭାର୍ଶୀର୍ବାଦ ପ୍ରଦାନ କରିବେ। ସେମାନେ ଭିନ୍ନ ଭିନ୍ନ ସୁନିଆଁ ଭେଟି ଦେବା ସହ ମଙ୍ଗଳକାମନା ଜଣାଇବେ।