ଓଡ଼ିଶା365(ବ୍ୟୁରୋ): ଥମୁନି ଭାରତ ଓ କାନାଡା ମଧ୍ୟରେ ବିବାଦ। ଚରମ ସୀମାରେ କୂଟନୀତିକ ଯୁଦ୍ଧ । ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରକୁ ବେଶ୍ ପ୍ରଭାବିତ କରିଛି ଦୁଇ ଦେଶର ତିକ୍ତତା । ଗୋଟିଏ ପଟେ ଭାରତରେ ଅନେକ କାନାଡୀୟ କମ୍ପାନୀ କରୁଛନ୍ତି ବ୍ୟବସାୟ । ଅନ୍ୟପଟେ ଅନେକ ଭାରତୀୟ ବି କାନାଡରେ ଅବସ୍ଥାପିତ। ଏମାନଙ୍କ ମଧ୍ୟରେ କିଏ ବଡ ବ୍ୟବସାୟୀ, ତ ଆଉ କିଏ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ରହିଛନ୍ତି ଶୀର୍ଷରେ। ସେହିଭଳି ଆହୁରି କିଛି ହୋଟେଲ କ୍ଷେତ୍ରରେ ବି ପ୍ରତିଷ୍ଠିତ । ଆସନ୍ତୁ ଜାଣିବା କାନାଡାର ରହୁଥିବା ଶ୍ରେଷ୍ଠ ୫ ଭାରତୀୟ ବ୍ୟବସାୟୀଙ୍କ ବିଷୟରେ।
ବିଲ୍ ମାଲୋହୋତ୍ରା: ଫୋର୍ବସ ରିୟଲ ଟାଇମ୍ ଇଣ୍ଡେକ୍ସ ରିପୋର୍ଟ କୁହେ କାନାଡାରେ ରହୁଥିବା ଧନୀ ବ୍ୟବସାୟୀଙ୍କ ଲିଷ୍ଟରେ ଆସେ ପ୍ରଥମ ନାମ ବିଲ୍ ମଲହୋତ୍ରା । ୭୪ ବର୍ଷୀୟ ବିଲ୍ ରିଅଲ ଇଷ୍ଟେଟ୍ ସେକ୍ଟରରେ ରହିଛି ତାଙ୍କର ଦବ୍ଦବା । ତାଙ୍କର ନେଟ୍ଓ୍ୱର୍ଥ ୧.୯ ଅରବ ଡଲାର । ଯାହାର ଆନୁମାନିକ ମୂଲ୍ୟ ୧୫,୭୯୩ କୋଟି ଟଙ୍କା । ଭାରତରେ ଜନ୍ମିତ ଦିଗ୍ଗଜ ବ୍ୟବସାୟୀ ୧୯୭୧ରେ ଭାରତ ଛାଡି ଚାଲିଯାଇଥିଲେ କାନାଡା । ପ୍ରଥମେ ଇଞ୍ଜିନିୟରିଂରୁ କ୍ୟାରିୟର ଆରମ୍ଭ କରିଥିବା ବିଲ୍ ଏବେ କାନାଡର ଜଣେ ଧନୀ ଭାରତୀୟ ବ୍ୟବସାୟୀଙ୍କ ମଧ୍ୟରେ ଜଣାଶୁଣା ।
ପ୍ରେମ ୱାଟ୍ସା: କାନାଡାରେ ଧନୀ ବ୍ୟବସାୟୀଙ୍କ ତାଲିକାରେ ଦ୍ୱିତୀୟରେ ଅଛନ୍ତି ଭି. ପ୍ରେମ୍ ୱାଟସା । ଟରୋଣ୍ଟୋ ଭିତ୍ତିକ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ୍ ହୋଲ୍ଡିଂର ମାଲିକ ୱାଟ୍ସା ଭାରତୀୟ ବଂଶୋଦ୍ଭବ । ବିଲିୟନେୟାର ବ୍ୟବସାୟୀଙ୍କ ମଧ୍ୟରେ ଆସେ ତାଙ୍କ ନାଁ । ଫୋର୍ବସ୍ ଅନୁଯାୟୀ, ତାଙ୍କର ନେଟ୍ ଓ୍ୱର୍ଥ ୧.୩ ବିଲିୟନ ଡ଼ଲାର୍ ଅର୍ଥାତ୍ ପ୍ରାୟ ୧୦ ହଜାର କୋଟିରୁ ଅଧିକ । ୱେଷ୍ଟର୍ଣ୍ଣ ଅନଟେରିଓ ବିଶ୍ୱବିଦ୍ୟାଳୟରୁ ଏମବିଏ ପଢିଥିବା ଓ୍ୱାଟସା ଭେଟେରାନ ନିବେଶକ ୱାରେନ୍ ବଫେଟ୍ଙ୍କୁ ମାନନ୍ତି ତାଙ୍କର ଆଦର୍ଶ ।
ଅପୂର୍ବ ମେହେଟ୍ଟା: ଭାରତୀୟ ବଂଶୋଦ୍ଭବ ଅନ୍ୟ ଜଣେ ବିଲିୟନେୟାର ବ୍ୟବସାୟୀ ଅପୂର୍ବ ମେହେଟ୍ଟା । ଯିଏ ସାନ ଫ୍ରାନ୍ସିସ୍କୋର ସର୍ବୋତ୍ତମ ଗ୍ରୋସରୀ ବିତରଣ ସଂସ୍ଥା ଇନଷ୍ଟାକାର୍ଟର ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଅଟନ୍ତି । ଅପୂର୍ବ ଏବେ କାନାଡାରେ ରହୁଛନ୍ତି । ସେଠାରେ ତାଙ୍କର ବ୍ୟବସାୟ ପରିଚାଳନା କରୁଛନ୍ତି । ଫୋର୍ବସ୍ ଅନୁଯାୟୀ ଭାରତରେ ଜନ୍ମିତ ଅପୂର୍ବ ଲିବିଆରେ ରହୁଥିଲେ । ପରେ ସେ କାନାଡାକୁ ଯାଇ ସେଟେଲ୍ ହୋଇଥିଲେ । ତାଙ୍କର ନେଟ୍ ଓ୍ୱର୍ଥ ୧ ବିଲିୟନ ଡଲାର ବା ପ୍ରାୟ ୮ ହଜାର କୋଟିରୁ ଅଧିକ । ସେ ବି କାନାଡରେ ପ୍ରତିଷ୍ଠିତ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଗଣା ।
ଷ୍ଟିଭ୍ ଗୁପ୍ତା : ଧନୀ ଇଣ୍ଡୋ-କାନାଡିୟ ବ୍ୟବସାୟୀଙ୍କ ଲିଷ୍ଟରେ ପରବର୍ତ୍ତୀ ନା ହେଉଛି ଷ୍ଟିଭ ଗୁପ୍ତା । ଯିଏ କାନାଡାର ସବୁଠୁ ବଡ ହୋଟେଲିୟର । ତାଙ୍କ ହୋଟେଲ ବ୍ରାଣ୍ଡରେ ହିଲଟନ୍, ମ୍ୟାରିଓଟ୍ ଏବଂ ଷ୍ଟାରଉଡ୍ ପ୍ରମୁଖ ରହିଛି । ଇଷ୍ଟନ୍ ଗ୍ରୁପ୍ ଏବଂ ଗୁପ୍ତା ଗ୍ରୁପ୍ ର ପ୍ରତିଷ୍ଠାତା ଷ୍ଟିଭ୍ ଗୁପ୍ତାଙ୍କର କାନାଡାରେ ରହିଛି ୧୯ ଟି ହୋଟେଲ୍ । ପଞ୍ଜାବରୁ କାନାଡାକୁ ଯାଇଥିବା ଷ୍ଟିଭ ଗୁପ୍ତା ଶିଳ୍ପରେ ୪୩ବର୍ଷରୁ ଅଧିକ ସମୟ ବିତାଇବା ପରେ ତାଙ୍କ ନାମ ଧନୀ ଭାରତୀୟ ବ୍ୟବସାୟୀ ତାଲିକାରେ ଏଣ୍ଟ୍ରି କରିଛନ୍ତି । ଏବେ ତାଙ୍କର ମୋଟ ସମ୍ପତ୍ତି ପାଖାପାଖି ୪୦୦ ମିଲିୟନ ଡଲାର୍ ।
ରମେଶ ଚୋଟାଇ: କାନାଡାର ଫାର୍ମା ସେକ୍ଟରରେ ଗୋଟିଏ ବଡ ନାମ ବ୍ରୋମେଡ ଫାର୍ମାସ୍ୟୁଟିକାଲ୍ସର ଚେୟାରମ୍ୟାନ୍ ରମେଶ ଚୋଟାଇ । ଭାରତରେ ଜନ୍ମିତ ରମେଶ ଚୋଟାଇ । ୧୯୭୨ ମସିହାରେ କାନାଡାରେ ପହଞ୍ଚି ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ବି ଇଣ୍ଡୋ-କାନାଡୀୟ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଜଣାଶୁଣା । ୨୦୨୨ରେ, ରମେଶଙ୍କୁ କାନାଡା ଇଣ୍ଡିଆ ଫାଉଣ୍ଡେସନର ସଭାପତି ରୂପେ ମିଳିଥିଲା ସ୍ଥାନ । ସେତିକି ନୁହେଁ କାନାଡାର ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନୀତ ବି କରାଯାଇଛି ।