ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ଆଇସିସି କ୍ରିକେଟ୍ ଦିନିକିଆ ବିଶ୍ଵକପ୍ ୨୦୨୩ । ବିଶ୍ୱକପ ପାଇଁ ଦିନ ଯେତିକି ପାଖେଇ ଆସୁଛି ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ୨୭ରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଦିନିକିଆ ଖେଳିଯିବ। ପୂର୍ବରୁ ଭାରତ ୨-୦ରେ ସିରିଜ୍ ଆଗୁଆ ରହିଛି। ଏହାରି ମଧ୍ୟରେ ବିଶ୍ଵକପକୁ ଦୃଷ୍ଟିରେ ରଖି ବିସିସିଆଇ ୩ୟ ଦିନିକିଆରେ ଦଳକୁ ବରିଷ୍ଠ ଖେଳାଳି ଅଧିନାୟକ ରୋହିତ ଶର୍ମା,ବିରାଟ କୋହଲି ଫେରୁଥିବାବେଳେ ଓପନର ଶୁଭମନ ଗିଲ୍ ଓ ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ନାହିଁ।
କାରଣ ଦଳ ପ୍ରବନ୍ଧକ ଉଭୟଙ୍କୁ କିଛି ସମୟ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇ ଖେଳାଳି ତୃତୀୟ ମ୍ୟାଚ୍ ପାଇଁ ରାଜକୋଟ୍ ଉଡ଼ାଣ ଭରିବେ ନାହିଁ। ଉଭୟ ଗୌହାଟୀରେ ଦଳ ସହ ଯୋଗ ଦେବେ, ଯେଉଁଠି ଭାରତ ନିଜର ଦିନିକିଆ ବିଶ୍ଵକପର ଅଭିଯାନ ଅଭ୍ୟାସ ମ୍ୟାଚରୁ ଆରମ୍ଭ କରିବ। ସେପ୍ଟେମ୍ବର ୨୭ରେ ଶେଷ ଦିନିକିଆ ପରେ ଭାରତ ଦଳ ସିଧାସଳଖ ବିଶ୍ଵକପ୍ ୨୦୨୩ର ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଏହି ମ୍ୟାଚ୍ ଗୌହାଟୀରେ ସେପ୍ଟେମ୍ବର ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବ।