ଓଡ଼ିଶା 365 (ବ୍ୟୁରୋ): ମା’ ହେଲେ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର । ଘରକୁ ଆସିଲେ କୁନି ଅତିଥି । ହସ ଖୁସିରେ ପରିବାର ଫାଟିପଡୁଛି । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୩ରେ ସ୍ୱରା ମାଆ ହୋଇଥିଲେ, ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ମାତୃତ୍ୟ ଲାଭ କରିଛନ୍ତି । ସ୍ୱରା ଏବଂ ତାଙ୍କ ସ୍ୱାମୀ ଫହାଦ ଅହମ୍ମଦ ସେମାନଙ୍କ ଝିଅର ନାମ ରବିୟା ରଖିଛନ୍ତି। ପ୍ରସିଦ୍ଧ ସୁଫି ସାଧୁ ରାବିଆ ବସ୍ରିଙ୍କ ନାମରେ ଏହି ଶିଶୁ କନ୍ୟାର ନାମକରଣ କରାଯାଇଛି। ଫ୍ୟାନ୍ସମାନେ ମଧ୍ୟ ସୋସିଆଲ ମିଡିଆରେ ସ୍ୱରାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ କୁନି ଝିଅଙ୍କୁ ଢ଼େରସାରା ଭଲପାଇବା ଦେଉଛନ୍ତି । ଏହାସହ ସ୍ୱରାଙ୍କ ଝିଅଙ୍କ ନାଁକୁ ମଧ୍ୟ ଫ୍ୟାନ୍ସମାନେ ବହୁତ ପସନ୍ଦ କରୁଛନ୍ତି । ସ୍ୱରା ଭାସ୍କର ଜୁନ୍ ୬ରେ ସୋସିଆଲ ମିଡିଆରେ ଗର୍ଭବତୀ ଥିବା ନେଇ ସୂଚନା ଦେଇଥିଲେ । ସେ ସ୍ୱାମୀ ଫହାଦଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ- “ବେଳେବେଳେ ତୁମର ସମସ୍ତ ଇଚ୍ଛା ଏକାସାଙ୍ଗରେ ପୂରଣ ହୋଇଯାଏ। ଏହି ନୂତନ ଯାତ୍ରାରେ ପାଦ ଦେଇ ମୁଁ ବହୁତ ଉତ୍ସାହିତ ଏବଂ କୃତଜ୍ଞ।“