ଓଡ଼ିଶା 365 (ବ୍ୟୁରୋ): ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ହେବ ଶୁଣାଣି। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ । ସୋମବାର ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ (ଲିଷ୍ଟିଂ) ହୋଇଥିଲା । କିନ୍ତୁ ସମୟ ଅଭାବରୁ ମାମଲାର ଶୁଣାଣି ହୋଇପାରିନଥିଲା । ହାଇକୋଟ ଶୁଣାଣି ମଙ୍ଗଳବାର ଧାର୍ଯ୍ୟ କରିଛନ୍ତି । ବିଜେପିର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଚାଲିଛି । ଶୁଣାଣି ସମୟରେ ଆଇନଜୀବୀ ରତ୍ନଭଣ୍ଡାର ପ୍ରସଙ୍ଗରେ ଏଏସଆଇ ପକ୍ଷରୁ ଦାଖଲ ଯାଞ୍ଚ ରିପୋର୍ଟ ଉପରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଏସଆଇ ପକ୍ଷରୁ ୨୦୨୨ରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ରତ୍ନଭଣ୍ଡାର ମରାମତିର ନିହାତତି ଆବଶ୍ୟକତା ଥିବା ଏଏସଆଇ କହିଛି । ତେଣୁ ରତ୍ନଭଣ୍ଡାର ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି ।
ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ କି ରାୟ ଶୁଣାଇବେ ତାହା ଉପରେ ସମସ୍ତଙ୍କ ନଜର।