ଓଡ଼ିଶା 365 (ବ୍ୟୁରୋ) : ଟ୍ରେନ୍ରେ ବଡ଼ ଧରଣର ଡକାୟତି । ଶନିବାର ରାତିରେ ସମ୍ବଲପୁରରୁ ଜମ୍ମୁତବୀ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ସଶସ୍ତ୍ର ଡକାୟତି ହୋଇଛି । ୬ରୁ ଅଧିକ ଦୁର୍ବୃତ୍ତ ବନ୍ଧୁକ ଓ ମାରଣାସ୍ତ୍ର ସହ ଟ୍ରେନରେ ପଶି ଯାତ୍ରୀଙ୍କଠାରୁ ଲୁଟପାଟ କରିଛନ୍ତି । ଟ୍ରେନ୍ର ସ୍ଲିପର ବଗି-୯ରେ ଲୁଟ୍ପାଟ୍ ହୋଇଛି । ଏହି ସମୟରେ ଅପରାଧୀମାନେ ୮ରୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ । ଏପରିକି ଯାତ୍ରୀମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ମଧ୍ୟ ଜଣାପଡ଼ିଛି । ମାରପିଟ୍ରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଝାଡ଼ଖଣ୍ଡ ଲାତେହାର-ଡାଲଟନଗଞ୍ଜ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଛି । ଏହି ଲୁଟ୍ପାଟ୍ ପରେ ଟ୍ରେନ୍ ଡାଲଟନଗଞ୍ଜ ଷ୍ଟେସନରେ ପହଞ୍ଚିବା କ୍ଷଣି ଯାତ୍ରୀମାନେ ହଙ୍ଗମା କରିଥିଲେ । ବିଳମ୍ବିତ ରାତି ଯାଏଁ ହୋହଲ୍ଲା ପାଟିତୁଣ୍ଡ ହୋଇଥିଲା ।
ଉତ୍ୟକ୍ତ ଲୋକେ ଏଫଆଇଆର ରୁଜୁ କରିବାକୁ ଦାବି କରିଥିଲେ । ଯେଉଁଥିପାଇଁ ଷ୍ଟେସନରେ ପ୍ରାୟ ଦେଢ଼ ଘଣ୍ଟା ଧରି ସମ୍ବଲପୁର-ଜମ୍ମୁତବୀ ଏକ୍ସପ୍ରେସ ଅଟକି ରହିଥିଲା । ସୂଚନା ପାଇ ପଲାମୁ ସଦର ଏସଡିଏମ ରାଜେଶ ଶାହା, ଆରପିଏଫ ଓ ଜିଆରପି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ ।ଯାହା ସୂଚନା ମିଳିଛି, ସମ୍ବଲପୁରରୁ ଜମ୍ମୁତବୀ ଯାଉଥିବା ଏକ୍ସପ୍ରେସ ଲାତେହାର ଷ୍ଟେସନ ଛାଡିବା ମାତ୍ରକେ ଅଧା ଡର୍ଜନରୁ ଅଧିକ ଦୁର୍ବୃତ୍ତ S-9 ବଗିରେ ପଶି ଲୁଟପାଟ ମଚାଇଥିଲେ । ସମସ୍ତେ ହାତରେ ବନ୍ଧୁକ, ମାରଣାସ୍ତ୍ର ଧରିଥିଲେ । ଲୁଟ ସମୟରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ଚାଳନା କରିବା ସହ ଯାତ୍ରୀଙ୍କୁ ମାରପିଟ୍ କରିଥିଲେ ।
୩୫ରୁ ୪୦ ମିନିଟ୍ ଧରି ବଗି ଭିତରେ ଲୁଟପାଟ ଘଟାଇଥିଲେ । ବରବାଡିହ ଷ୍ଟେସନରେ ଟ୍ରେନ ଅଟକିବା କ୍ଷଣି ସମସ୍ତେ ଫେରାର୍ ହୋଇଯାଇଥିଲେ । ଦୁର୍ବତ୍ତମାନେ ପୁରା ବଗିକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି ।ରେଲୱେର ଜଣେ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି । ମାମଲା ସଂକ୍ରାନ୍ତରେ ଆରପିଏଫ ଓ ଜିଆରପିର ବରିଷ୍ଠ ଅଧିକାରୀଙ୍କୁ ସୂଚୀତ କରାଯାଇଛି । ତେବେ ୨୦୧୬-୧୭ ମସିହା ପରଠୁ ପ୍ରଥମ ଥର ଲାତେହର ଓ ଡାଲଟନଗଞ୍ଜ ଷ୍ଟେସନ ମଝିରେ ଟ୍ରେନରେ ଲୁଟପାଟ ହୋଇଛି ।