ଓଡ଼ିଶା365(ବ୍ୟୁରୋ): ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ବିରୋଧରେ ଭୋଟ୍ ଦେଇଥିବା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ପୁଣିଥରେ ଦୋହରାଇଛନ୍ତି ଯେ ସେ ମହିଳାମାନଙ୍କୁ ସଂରକ୍ଷଣ ଦେବା ବିରୋଧୀ ନୁହଁନ୍ତି। ସେହିପରି ଓୱେସି ହାଇଦ୍ରାବାଦରୁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ହାଇଦ୍ରାବାଦ ସାଂସଦ ଓୱେସି କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ମୁସଲମାନ ମହିଳା ଏବଂ ଓବିସି ମହିଳାଙ୍କୁ ମଧ୍ୟ ସଂରକ୍ଷଣ ଦିଆଯାଉ। କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କୁ ନେଇ ସେ କହିଛନ୍ତି ଯେ ଏହି ଲୋକମାନେ ସଂସଦରେ ମୁସଲମାନଙ୍କ ନାମ ମଧ୍ୟ ନିଅନ୍ତି ନାହିଁ | କଂଗ୍ରେସକୁ ଟାର୍ଗେଟ କରି ଓୱେସି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ‘ମୁଁ ରାହୁଲଙ୍କୁ ୱାୟାନାଡରୁ ନୁହେଁ ହାଇଦ୍ରାବାଦରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ୱାନ କରୁଛି।
ରାହୁଲ ତୁମେ ବଡ଼ ବଡ କଥା କହୁଛ, ତେବେ ନିର୍ବାଚନ ମଇଦାନକୁ ଓହ୍ଳାନ୍ତୁ ଓ ମୋ ବିରୋଧରେ ନିର୍ବାଚନ ଲଢ଼ | କଂଗ୍ରେସ ଲୋକମାନେ ଅନେକ କଥା କହିବେ କିନ୍ତୁ ମୁଁ ପ୍ରସ୍ତୁତ ଅଛି | ହାଇଦ୍ରାବାଦ ଆସ ଓ ପରସ୍ପର ବିରୋଧରେ ଲୋକସଭା ନିର୍ବାଚନ ଲଢ଼ିବା ବୋଲି ଓୱେସି କହିଛନ୍ତି | ସେ କହିଛନ୍ତି ଯେ କଂଗ୍ରେସ ଶାସନ କାଳରେ ବାବ୍ରି ମସଜିଦ୍ ଏବଂ ସଚିବାଳୟ ମସଜିଦ ଭାଙ୍ଗି ଦିଆଯାଇଥିଲା। ନିକଟରେ ରାହୁଲ ଗାନ୍ଧୀ କହିଥିଲେ ଯେ ତେଲେଙ୍ଗାନାରେ କଂଗ୍ରେସ ବିରୋଧରେ ବିଜେପି, ଏଆଇଏମଆଇଏମ ଏବଂ ବିଆରଏସ୍ ଏକାଠି ଲଢ଼ୁଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଏଆଇଏମଆଇଏମ ମୁଖ୍ୟ ଓୱେସି ଏବଂ ବିଆରଏସ ମୁଖ୍ୟ କେସିଆରଙ୍କ ବିରୋଧରେ ସିବିଆଇ ଏବଂ ଇଡିର ଗୋଟିଏ ବି ମାମଲା ନାହିଁ। ରାହୁଲ ଗାନ୍ଧୀ ମଧ୍ୟ ଦାବି କରିଛନ୍ତି ଯେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଜିତିବାକୁ ଯାଉଛି।