ଓଡ଼ିଶା 365 (ବ୍ୟୁରୋ): କାନାଡା ଭାରତ ମଧ୍ୟରେ ବିବାଦ ବଢ଼ି ବଢ଼ି ଚାଲିଛି । କାନାଡା ଭାରତ ବିରୋଧରେ ସ୍ବର ଉଠାଇ ଏକଘରକିଆ ହୋଇଥିବା ବେଳେ ପୁଣି ଭୁଲ ପରେ ଭୁଲ କରିଚାଲିଛି । ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସଂସଦରେ ସମ୍ମାନିତ କରିବା ପରେ ଋଷ ମଧ୍ୟ କାନାଡା ଉପରେ ଖପ୍ପା ହୋଇଛି । ସେପଟେ ଇହୁଦିଙ୍କୁ ହତ୍ୟା କରିଥିବା ହିଟଲରଙ୍କ ସେନାଙ୍କ ଜଣେ ଅଧିକାରୀଙ୍କୁ ସଂସଦରେ ସମ୍ମାନିତ କରାଯାଇଥିବାରୁ କାନାଡାକୁ ଇସ୍ରାଏଲ ମୁହଁ ତୋଡା ଜବାବ ଦେଇଛି । ବିଶ୍ବରେ ଥିବା ଇହୁଦିମାନେ ଏନେଇ ଅଭିଯୋଗ କରିବା ପରେ ଶେଷରେ କାନାଡା ଲିଖିତ ଭାବେ ଭୁଲ ମାଗିଛି ।
ଭାରତ-କାନାଡା କୂଟନୈତିକ ବିବାଦକୁ ନେଇ ସାରା ବିଶ୍ବରେ ଚର୍ଚା ଚାଲିଚି । ହରଦୀପ ସିଂ ନିଜାର ହତ୍ୟା ଘଟଣାରେ ଭାରତ ସରକାରଙ୍କ ଏଜେଣ୍ଟ ସାମିଲ ବୋଲି କାନାଡା କହିବା ପରେ ଭାରତ ଏନେଇ ମୁହଁତୋଡା ଜବାବ ଦେଇଛି । ନିଜାରର ହତ୍ୟା ସମ୍ପର୍କରେ ଭାରତର ସମ୍ପୃକ୍ତି ନେଇ ଟ୍ରୁଡୋଙ୍କ ଅଭିଯୋଗକୁ ଖାଲି ଭାରତ ବିରୋଧ କରିନାହିଁ । କାନାଡା ବିରୋଧୀ ଦଳ ନେତା ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି କିଛି ପ୍ରମାଣ ନଥାଇ ଭାରତ ବିରୋଧରେ କହିବା ଚିନ୍ତାଜନକ । ଏପରିକି କାନାଡାର ନାଗରିକ ଏବଂ ଗଣମାଧ୍ୟମ ମଧ୍ୟ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କରୁଛନ୍ତି । ଗୋଟେ ପଟେ କାନାଡା ନାଗରିକଙ୍କ ଲାଗି ଭିସା ବାତିଲ କରିଛି ଭାରତ ।
ସେପଟେ ଖଲିସ୍ତାନ ଆତଙ୍କବାଦୀଙ୍କ ସଂପତ୍ତି ଜବତ କରିବା ପାଇଁ ନିର୍ଦେଶ ଦେଇଛି । ଖଲିସ୍ତାନୀ ଆତଙ୍କବାଦୀଙ୍କ ୪୩ ଜଣିଆ ତାଲିକା ଜାରି କରିଛି ଏନଆଇଏ । ଭାରତ କାନାଡା ସଂପର୍କକୁ ବିଗିଡିଥିବା ବେଳେ ଏବେ ଋଷ ଏବଂ ଇସ୍ରାଏଲ ମଧ୍ୟ କାନାଡା ଉପରେ ଖପ୍ପା ହୋଇଛନ୍ତି । ଭାରତକୁ କାନାଡାର ସହଯୋଗୀ ରାଷ୍ଟ୍ରମାନେ କିଛି କହିପାରୁନଥିବା ବେଳେ କାନାଡା ଏବେ ଏକଘରକିଆ ହୋଇଛି । ଆଗକୁ କାନାଡା ପ୍ରଧାନମନ୍ତ୍ରୀଙ୍କ ସରକାର ଚାଲିଯିବାର ସଂଭାବନା ମଧ୍ୟ ସୃଷ୍ଟି ହୋଇଛି । କାରଣ ଜଷ୍ଟିନ ଟ୍ରୁଡୋଙ୍କ ଲୋକପ୍ରିୟତା ଦେଶରେ କମି କମି ଯାଉଛି । ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଟ୍ରୁଡୋଙ୍କ ପାଇଁ ଏବର୍ଷ ନିଜର ସରକାର ବଂଚାଇବା କାଠିକର ପାଠ ହେବ ବୋଲି ଚର୍ଚା ହେଉଛି ।