ଓଡ଼ିଶା 365 (ବ୍ୟୁରୋ): ଏଣିକି ମା’ମାନଙ୍କୁ ସ୍କୁଲରେ ଦିଆଯିବ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ତାଲିମ୍। ଏଫ୍ଏଲ୍ଏନ୍ ଗ୍ରେଡ୍ ଥିବା ପ୍ରତ୍ୟେକ ସରକାରୀ ସ୍କୁଲ୍ର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କ ମା’ମାନଙ୍କୁ ଏହି ତାଲିମ୍ ଦିଆଯିବ । ଏଥିପାଇଁ ପ୍ରତି ୨ ମାସରେ ଥରେ ସ୍କୁଲକୁ ଆସିବେ ମା’ମାନେ । ପିଲାଙ୍କୁ ତଥା ସ୍କୁଲ୍କୁ ଯୋଗାଇ ଦିଆଯାଇଥିବା କାର୍ଯ୍ୟ ପୁସ୍ତିକା, ଶିକ୍ଷଣ ସାମଗ୍ରୀଗୁଡ଼ିକ ସେମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦେଖାଇବେ । ଏଥିସହ ପିଲାମାନଙ୍କର କିପରି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧିରେ ସେମାନେ ସହାୟକ ହେବେ ପ୍ରଶିକ୍ଷଣ ଦିଆଯିବ । ଦକ୍ଷତା ବିକାଶ, ମିଶାଣ, ଫେଡ଼ାଣ ସହ ବିଭିନ୍ନ ପ୍ରକାର ଫୁଲ, ଫଳ, ଋତୁ ଆଦି ସଂପର୍କରେ ସେମାନେ ଜ୍ଞାନ ଆହରଣ କରିବେ ।
ମା’ମାନେ ଏହି କାର୍ଯ୍ୟକ୍ରମକୁ ଆସିବା ନେଇ ସ୍କୁଲ୍ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ । ଏନେଇ ଓସେପା ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ମା’ମାନଙ୍କ ଏହି ବୈଠକ ଅଗଷ୍ଟ, ଅକ୍ଟୋବର, ଜାନୁଆରୀ ଓ ମାର୍ଚ୍ଚ ମାସରେ ହେବ । ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ଶେଷ କରିଥିବା ସବୁ ପିଲା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସମସ୍ତ କୌଶଳ ହାସଲ କରିବେ । ଏହାଦ୍ୱାରା ପିଲାକୁ ପରବର୍ତ୍ତୀ ଶ୍ରେଣୀରେ ପାଠ ବୁଝିବା ସହଜ ହେବ । ଏହି ଦକ୍ଷତା ହାସଲ କରିବା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟ ପୁସ୍ତିକା, ଶିକ୍ଷକଙ୍କ ପାଇଁ ସହାୟକ ପୁସ୍ତିକା ଓ ଶିକ୍ଷଣ ସାମଗ୍ରୀ ଆଦି ପ୍ରସ୍ତତ କରି ସ୍କୁଲ୍ରେ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ଥିବା ସେମାନଙ୍କ ଅଭିଜ୍ଞତା ବିଷୟରେ ୧ରୁ ୨ ମିନିଟ୍ ମଧ୍ୟରେ ମା’ମାନେ କହିବେ । ସେମାନଙ୍କୁ ସ୍କୁଲ୍ ପକ୍ଷରୁ କାର୍ଯ୍ୟବଣ୍ଟନ କରାଯିବ । ଖାଲି ମା’ନୁହନ୍ତି, ବାପାମାନଙ୍କୁ ମଧ୍ୟ କିଛି ଦାୟିତ୍ୱ ଦିଆଯିବ । ସେମାନେ ନିଜ ପିଲାଙ୍କୁ ବିଭିନ୍ନ ଶସ୍ୟ, ପୂଜାପାର୍ବଣ, ବୃତ୍ତି ବିଷୟରେ ଧାରଣା ଦେବେ । ଗୋଡ଼ି, କାଠି ଦ୍ୱାରା ଛୋଟ ଛୋଟ ଗଣନା ଶିକ୍ଷା ଦେବେ ।