ଓଡ଼ିଶା365(ବ୍ୟୁରୋ): ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନକ୍ସଲ୍ ଉପଦ୍ରୁତ କାଙ୍କେର୍ ଅଞ୍ଚଳର ଜଣେ ୯୩ ବର୍ଷିୟ ବୃଦ୍ଧ ପ୍ରଥମ ଥର ପାଇଁ ଭୋଟ୍ ଦେବେ । ଏ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହି ବର୍ଷୀୟାନ୍ ଭୋଟର୍ ହେଉଛନ୍ତି ଭାନୁପ୍ରତାପପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୈଁସାକାହ୍ନର୍ (କେ) ଗ୍ରାମର ଶେର୍ ସିଂହ ହେଡ୍କୋ। ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଳାଙ୍କ ନେତୃତ୍ବରେ ଘର ଘର ବୁଲି କରାଯାଉଥିବା ଭୋଟର୍ ତାଲିକା ଅଭିଯାନରେ ତାଙ୍କ ନାଁ ସାମିଲ୍ କରାଯାଇଛି। ସମ୍ଭବତଃ ହେଡ୍କୋଙ୍କ କାଗଜପତ୍ରରେ କୌଣସି ତ୍ରୁଟି ଥିବାରୁ ଅନେକ ବର୍ଷ ହେବ ତାଙ୍କ ନାଁ ଭୋଟର୍ ତାଲିକାରୁ ବାଦ ପଡ଼ିଥିଲା। ଫଳରେ ସେ ଭୋଟ୍ ଦେବାରୁ ବଞ୍ଚିତ ହୋଇ ଆସିଛନ୍ତି।
ଭୋଟର୍ ତାଲିକାରେ ନାଁ ଅନ୍ତର୍ଭୁକ୍ତ କରାଯିବା ପରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାର ଅଧିକାର ପାଇ ହେଡ୍କୋ ଖୁବ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଭୋଟ୍ ଦେଇ ପ୍ରତିନିଧି ଚୟନ କରିବାକୁ ସେ ବ୍ୟଗ୍ର ବୋଲି ତାଙ୍କର ଜଣେ ଆତ୍ମୀୟ କହିଛନ୍ତି। କାରଣ ହେଡ୍କୋ ଏବେ ସ୍ପଷ୍ଟ ଭାବରେ କଥାବାର୍ତ୍ତା ମଧ୍ୟ କରିପାରୁ ନାହାନ୍ତି। ସମ୍ପ୍ରତି ଏହି ଜିଲ୍ଲାରେ ‘ବୁଥ୍ ଲେବେଲ୍ ଅଫିସର୍’ମାନେ ଘର ଘର ବୁଲି ଭୋଟ୍ ଦେବାକୁ ଯୋଗ୍ୟ ବ୍ୟକ୍ତିମାନଙ୍କ ନାଁ ଭୋଟର୍ ତାଲିକାରେ ସାମିଲ କରୁଛନ୍ତି।