ଓଡ଼ିଶା365(ବ୍ୟୁରୋ): ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଭୋଗବୀ ନଦୀର ପୋଲ ଭୁଶୁଡ଼ି ପଡ଼ିଛି । ଏଥିରେ ୧୦ରୁ ଅଧିକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଗୋଟିଏ ଡମ୍ପର ଓ ଦୁଇଟି ବାଇକ୍ ବ୍ରିଜ ଉପରେ ଯାଉଥିବା ବେଳେ ହଠାତ ବ୍ରିଜ୍ଟି ଭୁଶୁଡ଼ି ପଡ଼ିବାରୁ ଗାଡ଼ିଗୁଡ଼ିକ ନଦୀରେ ଖସିପଡ଼ିଛି । ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ନଦୀ ଭିତରେ ଖୋଜାକୋଜି କରିବା ପରେ ୪ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ହେଲେ ଏବେ ବି ୬ଜଣ ନିଖୋଜ ରହିଛନ୍ତି । ସେପଟେ ଦୁର୍ଘଟଣା ଖବର ଜାଣିବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ପୋଲଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ସେଥିପାଇଁ ପୋଲରେ ଭାରିଯାନ ଯାତାୟାତ କରିବାକୁ ନିଷେଧ କରାଯାଇଥିଲା । ହେଲେ ୪୦ ଟନ୍ର ଡମ୍ଫର ସେହି ପୋଲ ଦେଇ ଯିବା ଫଳରେ ଏପରି ଅଘଟଣ ଘଟିଥିବା କୁହାଯାଉଛି । ଭିଡିଓରେ ଭଙ୍ଗା ପୋଲ ଉପରେ ଡମ୍ଫରଟି ରହିଥିବା ଦେଖିବାକୁ ମିଳୁଛି ।