ଓଡ଼ିଶା365(ବ୍ୟୁରୋ): କାନାଡ଼ା ଏବେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଭାରତ ବିରୋଧରେ ବାରମ୍ବାର ଭିତ୍ତହୀନ ଅଭିଯୋଗ କରିବାରେ ବ୍ୟସ୍ତ । ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିଲ୍ଲୀର ଯନ୍ତରମନ୍ତରଠାରେ ମିଳିତ ହିନ୍ଦୁ ସାମ୍ମୁଖ୍ୟ ପକ୍ଷରୁ କାନାଡ଼ା ବିରୋଧରେ ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କାନାଡ଼ା ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ ନକରିବାକୁ ମିଳିତ ହିନ୍ଦୁ ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି। ଯଦି ଜଷ୍ଟିନ ଟ୍ରୁଡ଼ୋଙ୍କର ଖଲିସ୍ତାନୀଙ୍କ ପ୍ରତି ଏତେ ଦରଦ ରହିଛି ତା’ହେଲେ ସେ ନିଜ ଦେଶରେ ଖଲିସ୍ତାନ ତିଆରି କରନ୍ତୁ ବୋଲି ହିନ୍ଦୁ ସଂଗଠନ କହିଛି । କାନାଡ଼ାକୁ ଦୁଇଭାଗ କରି ନୂଆ ଖଲିସ୍ତାନ ରାଷ୍ଟ୍ର ଘୋଷଣା କରାଯାଉ ବୋଲି କହିଛନ୍ତି ମିଳିତ ହିନ୍ଦୁ ସାମ୍ମୁଖ୍ୟର ଅନ୍ତର୍ଜାତୀୟ ସଭାପତି ଭଗବାନ ଗୋୟଲ। କାନାଡ଼ାରେ ଥିବା ଭାରତର ମୋଷ୍ଟ ୱାଣ୍ଟେଡ଼ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ତୁରନ୍ତ ଭାରତ ପ୍ରତ୍ୟର୍ପଣ କରିବାକୁ ସଂଗଠନ ଦାବି କରିଛି।