ଓଡ଼ିଶା 365 (ବ୍ୟୁରୋ) : ହାଙ୍ଗଝୌରେ ଖେଳାଯାଉଥିବା ୧୯ତମ ଏସୀୟ କ୍ରୀଡା ମହାକୁମ୍ଭରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ପୁରୁଷ ୧୦ ମିଟର ଏୟାର ରାଇଫଲ୍ସ ଇଭେଣ୍ଟରେ ଭାରତ ଗୋଲ୍ଡ ମେଡାଲ ଜିତିବାର ସୌଭାଗ୍ୟ ଲାଭ କରିଛି । ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ରୁନ୍ଦ୍ରକେଶ ପାଟିଲ ଓ ଦିବ୍ୟାଂଶ ସିଂଙ୍କ ମିଳିତ ପ୍ରୟାସରେ ଭାରତକୁ ଆଣିଦେଇଛନ୍ତି ଏହି ସଫଳତା ।ବ୍ୟକ୍ତିଗତ କ୍ୱାଲିଫିକେସନ୍ ରାଉଣ୍ଡରେ ୩ ଖେଳାଳି ମୋଟ୍ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି । ପ୍ରଥମରୁ ଏହି ତିନିଜଣ ଭଲ ପ୍ରଦର୍ଶନ କରିଚାଲିଥିଲେ । ତେବେ ତୃତୀୟ ଓ ଚତୁର୍ଥ ସିରିଜରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହ ପଞ୍ଚମ ଓ ଷଷ୍ଠ ସିରିଜରେ ବାଜିମାତ କରିଥିଲେ ।
ଭାରତକୁ ଏପର୍ଯ୍ୟନ୍ତ ଗୋଟିଏ ସ୍ବର୍ଣ୍ଣ ପଦକ ସହିତ ମୋଟ୍ ୭ଟି ମେଡାଲ ମିଳିସାରିଛି । ସେହିଭଳି ରୋଇଂରେ ଭାରତକୁ କାଂସ୍ୟ ପଦକ ମିଳିଛି । ରୋଇଂ କକ୍ସଲେସ ଫୋରରେ ବ୍ରୋଞ୍ଜ୍ ପାଇଛନ୍ତି ଯଶବିନ୍ଦର ସିଂ, ଭୀମ୍ ସିଂ, ପୁନୀତ୍ କୁମାର, ଆଶିଷ୍ । ଫାଇନାଲରେ ୦୬:୧୦:୮୧ ସମୟରେ ଖେଳ ଶେଷ କରି ଭାରତ ଏହି ମେଡାଲ୍ ପାଇଛି । ଭାରତ ରୋଇଂରେ ଚତୁର୍ଥ ମେଡାଲ୍ ପାଇଛି ।ଏସିଆନ୍ ଗେମ୍ସରେ ଭାରତର ମୋଟ୍ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏଥିସହ ପଦକ ରାଙ୍କିଂ ଟେବୁଲରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଏବେ ସୁଦ୍ଧା ଭାରତକୁ ଗୋଟିଏ ସ୍ୱର୍ଣ୍ଣ ସହ ୩ଟି ରୌପ୍ୟ ଓ ୩ଟି କାଂସ୍ୟ ମିଳିଛି । ଚୀନକୁ ୨୩ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ମିଳିଛି । ସର୍ବାଧିକ ୩୮ଟି ପଦକ ପାଇ ଶୀର୍ଷରେ ରହିଛି ଚୀନ ।