ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟରୁ ମୌସୁମୀ ଫେରିବାକୁ ବସିଲାଣି। ଏବେବି ନିଅଣ୍ଟିଆ ବର୍ଷାର ସାମ୍ନା କରୁଛନ୍ତି ୩ ଜିଲ୍ଲାବାସୀ। ଗେଟେପଟେ ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଏମିତି କି ତିନି ଜିଲ୍ଲା ଢେଙ୍କାନାଳ, ବୌଦ୍ଧ ଓ ଝାରସୁଗୁଡ଼ାରେ ମାତ୍ରାଧିକ ବର୍ଷା ହୋଇଛି । ହେଲେ କଳାହାଣ୍ଡି, ନବରଙ୍ଗପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଦେଖାଦେଇଛି। ଜୁନ୍ ୧ ରୁ ସେପ୍ଟେମ୍ବର ୨୪ ଭିତରେ ରାଜ୍ୟରେ ୧୦୮୪ମିମି ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୧୧୨୦ମିମି ବର୍ଷା ହେବା କଥା । କିନ୍ତୁ ସ୍ୱାଭାବିକ ତୁଳନାରେ ସାମାନ୍ୟ କମ୍ ବର୍ଷା ହୋଇଛି ।
୨୫ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ଥିବାବେଳେ ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ୨୯ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଜଗତ୍ସିଂହପୁରର ନୂଆଗାଁରେ ୪୯ମିମି, ସୁନ୍ଦରଗଡ଼ ବାଲିଶଙ୍କରାରେ ୪୦.୨, ମାଲକାନଗିରି ପଦିଆରେ ୩୬.୩, ଢେଙ୍କାନାଳରେ ୨୯, ନରସିଂହପୁରରେ ୨୫, ନବରଙ୍ଗପୁର ପାପଡ଼ାହାଣ୍ଡିରେ ୨୫ମିମି ଓ ସୁନ୍ଦରଗଡ଼ରେ ୨୩.୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।।