ଓଡ଼ିଶା 365 (ବ୍ୟୁରୋ) : ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ହାସଲକରି ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକହାସଲକାରୀ ବ୍ୟାଟର ହେବାର ରେକର୍ଡ କରି ଭାଙ୍ଗିଛନ୍ତି ରନ୍ ମେସିନ ବିରାଟ କୋହଲିଙ୍କ ରେକର୍ଡ । ରବିବାର ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଶତକୀୟ ଇନିଂସ ପରେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକୀୟ ଇନିଂସ ଦମରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୪୦୦ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିବାରୁ ଭାରତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୯ ରନ କରିଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ସର୍ବୋଚ୍ଚ ଦଳଗତ ସ୍କୋର ।
ଭାରତୀୟ ଇନିଂସର ୪୪ତମ ଓଭରରେ ସୂର୍ଯ୍ୟକୁମାର ଯାଦବ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ସେ କ୍ୟାମେରୁନ ଗ୍ରୀନଙ୍କ ଓଭରରେ ଲଗାତାର ୪ ଛକା ମାରିଥିଲେ । ଇନ୍ଦୋର ଦିନିକିଆରେ ସୂର୍ଯ୍ୟ ୩୭ ବଲ୍ରୁ ଅପରାଜିତ ୭୨ ରନର ଇନିଂସ ଖେଳିଥିଲେ । ଏଥିସହିତ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲିଙ୍କ ନାମରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଥିଲା। ସେ ମାତ୍ର ୨୭ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେସୂର୍ଯ୍ୟକୁମାର ୨୪ ବଲ୍ରେ ଏହି କାରନାମା କରିଛନ୍ତି।ଦିନିକିଆରେ ସୂର୍ଯ୍ୟକୁମାର ଯାଦବ ଭାରତ ପକ୍ଷରୁ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଅଜିତ୍ ଅଗରକରଙ୍କ ନାମରେ ରହିଛି। ସେ ୨୦୦୦ ମସିହାରେ ଜିମ୍ବାଓ୍ଵେ ବିପକ୍ଷରେ ୨୧ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ ।