ଓଡ଼ିଶା 365 (ବ୍ୟୁରୋ) : ଅଷ୍ଟ୍ରେଲିଆ ନାକେଦମ ସିରିଜ୍ ଜିତିଲା ଭାରତ। ବ୍ୟାଟିଂ ବୋଲିଂରେ କମାଲ କଲା ରାହୁଲ ବାହିନୀ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟରଙ୍କ ୧୦୫, ଶୁଭମନ ଗିଲ୍ଙ୍କ ୧୦୪ ସହ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅପରାଜିତ ୭୨ ରନ ଓ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୯ ରନର ବିଶାଳ ସ୍କୋର କରିଥିଲା । ଡିଏଲଏସ ନିୟମରେ ୩୩ ଓଭରରେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୧୭ ରନର ବିଜୟ ଲକ୍ଷ୍ୟ ଥିଲା। ଜବାବରେ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୨୮.୨ ଓଭରରେ ୨୧୭ ରନରେ ଅଲଆଉଟ୍ ହୋଇଥିଲା ।
ଦ୍ଵିତୀୟ ମ୍ୟାଚ୍କୁ ୯୯ ରନରେ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨-୦ରେ କବଜା କରିଛି।ଶତକୀୟ ଇଂନିସ ପାଇଁ ଆୟର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ଓ୍ଵାର୍ଣ୍ଣର ୫୩ ରନ କରିଥିବା ବେଳେ ସିନ ଏବଟ୍ ୫୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ଏବଂ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୩ଟି ଲେଖାଏଁ ଓ୍ଵିକେଟ୍ ମିଳିଥିଲା । ଶେଷ ଦିନିକିଆ ସେପ୍ଟେମ୍ବର ୨୭ ତାରିଖ ଖେଳାଯିବାକୁ ଥିବାବେଳେ ମଇଦାନକୁ ଓହ୍ଲାଇବେ ରୋହିତ-ବିରାଟ ।