ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶ୍ରୀମନ୍ଦିରରେ ଶେଷ ହୋଇଛି ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ନାତି। ଅନ୍ତିମ ପର୍ଯ୍ୟାୟରେ ସିଂହଦ୍ୱାର ନିକଟରେ ରାକ୍ଷସ ରାଜା କଂସଙ୍କୁ ବଧ କରିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ । ରବିବାର ରାତିରେ ପବିତ୍ର ବଡ଼ଦାଣ୍ଡରୁ ଜଗନ୍ନାଥବଲ୍ଲଭ ମଠ ନିକଟରୁ ସିଂହଦ୍ୱାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳା । ଲବଣିଖିଆ ମଣ୍ଡପରେ ବିଜେ ହୋଇ ଶ୍ରୀରାମକୃଷ୍ଣ ସର, ଲବଣୀ ଖାଇଥିଲେ । ଦୁଇ ଭାଇଙ୍କୁ ମହାଭୋଇ ପରିବାରର ବୋହୁମାନେ ଲବଣୀ ଖୁଆଇଥିଲେ । ରବିବାର ଥିଲା ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା ମଥୁରାହାଟ ଜୁର, କଂସ ବଧ ଲୀଳା ଆଦି ନୀତି ।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସାରି ମହାଜନ ସେବକମାନେ ଶ୍ରୀରାମକୃଷ୍ଣଙ୍କୁ ରତ୍ନସିଂହାସନକୁ ବିଜେ କରାଇଥିଲେ। ଅପରାହ୍ନ ୫ଟା୧୫ ମିନିଟ୍ରେ ଶ୍ରୀକୃଷ୍ଣ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଓ ବଳରାମ ବଡ଼ଠାକୁରଙ୍କ ବାଡ଼ରେ ବିଜେ ହୋଇଥିଲେ । ଆଜ୍ଞାମାଳ ପାଇ ବଟଦୁଆରେ ଥିବା ପାଲିଙ୍କିରେ ଠାକୁରମାନେ ବିଜେ ହେଲେ । ବିମାନବଡ଼ୁମାନେ ପାଲିଙ୍କି ନେଇ ଶ୍ରୀମନ୍ଦିରରୁ ବାହାରି ଲବଣିଖିଆ ମଣ୍ଡପଠାରେ ବିଜେ ହୋଇଥିଲେ । ମହାଭୋଇମାନେ ବାଟବରଣ କରିଥିଲେ । ରୁପା ଥାଳିରେ ମହାଭୋଇମାନେ ଭୋଗ ଆଣିବା ପରେ ବନ୍ଦାପନା ହୋଇଥିଲା । ମହାଭୋଇ ପରିବାରର ବୋହୂମାନେ ଦୁଇ ବିଗ୍ରହଙ୍କୁ ଅର୍ଘ୍ୟ ବନ୍ଦାପନା କରିଥିଲେ । ଠାକୁରଙ୍କୁ ପାଛୋଟି ନେଇ ଲବଣିଖିଆ ମଣ୍ଡପ ଖଟ ଉପରେ ବିଜେ କରାଇଥିଲେ । ମହାଭୋଇଙ୍କ ପ୍ରଦତ୍ତ ସର, ଲବଣୀ, ମାଖନ ଭୋଗ ଲାଗିଥିଲା । ଭିତରଚ୍ଛ ମହାପାତ୍ର ବନ୍ଦାପନା କଲା ପରେ ମହାପ୍ରଭୁ ବିମାନକୁ ବିଜେ ହୋଇ ଜଗନ୍ନାଥବଲ୍ଲଭ ସାମ୍ନା ଖଳାକୁ ବିଜେ କରିଥିଲେ । ସେଠାରେ ଅକ୍ରୁର ପ୍ରସ୍ତାବ, କିଛି ବାଟରେ ରଜକ ପ୍ରସ୍ତାବ, ଧନୁଘର ପ୍ରସ୍ତାବ ହୋଇଥିଲା । ମରିଚେଇ ଠାକୁରାଣୀଙ୍କ ସମ୍ମୁଖରେ ମଲ୍ଲଯୁଦ୍ଧ ପ୍ରସ୍ତାବ ହୋଇଥିବାବେଳେ ମାଟିମଣ୍ଡପ ସାହି ବାସିନ୍ଦା ପରମ୍ପରା ପାଳିଥିଲେ । ରାଜାନଅର ସମ୍ମୁଖରେ କୁବ୍ଚା ଉଦ୍ଧାର ନୀତି ହୋଇଥିଲା।