ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରଯାନ-୩ର ସଫଳ ଅବତରଣ ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ସେହିପରି ନୂଆଦିଲ୍ଲୀରେ ଭାରତ ପକ୍ଷରୁ ଜି ୨୦ର ସଫଳ ଆୟୋଜନ ମଧ୍ୟ ଦେଶବାସୀଙ୍କୁ ଏକ ନୂଆ ଆଶା ଦେଇଛି । ମନ୍ କୀ ବାତ୍ର ୧୦୫ତମ ସଂସ୍କରଣରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ରେ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରି ନିକଟରେ ଭାରତ ହାସଲ କରିଥିବା ବିଭିନ୍ନ ସଫଳତା ସଂପର୍କରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି। ଏହି ସଫଳ ମୁହୂର୍ତ୍ତକୁ କୋଟି କୋଟି ଲୋକ ବିଭିନ୍ନ ମାଧ୍ୟମରେ ଦେଖିଛନ୍ତି। ତେବେ ଇସ୍ରୋର ୟୁଟ୍ୟୁବ ଲାଇଭରେ ୮୦ ଲକ୍ଷରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମକୁ ଦେଖିଛନ୍ତି। ଏଥିସହିତ ଭାରତରେ ଚଳିତମାସରେ ଅନୁଷ୍ଠିତ ୨ ଦିନିଆ ଜି ୨୦ ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ବର ନେତୃବୃନ୍ଦ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏକ ମହାନ ମୁହୂର୍ତ୍ତ ଥିଲା ବୋଲି ମୋଦୀ କହିଛନ୍ତି। ଏହାସହ ଅକ୍ଟୋବର ୧ ତାରିଖରେ ହେବାକୁ ଥିବା ସ୍ବଚ୍ଛତା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସେ ଦେଶବାସୀଙ୍କୁ କହିଛନ୍ତି ମୋଦି । ଆସନ୍ତାମାସ ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଦେଶବ୍ୟାପୀ ଅନେକ ସ୍ବଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଗାନ୍ଧୀଙ୍କ ଜନ୍ମଦିନରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ହିଁ ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।