ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଭାରତ-କାନାଡାର ମଧ୍ୟରେ ବଢିଚାଲିଛି ବିବାଦ। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟା ଘଟଣାରେ ଭାରତକୁ ଦାୟୀ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୁ । ଭାରତ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି । ଭାରତ ଉପରେ ମିଛରେ ଦୋଷ ଲଦିବା କାନାଡା ପ୍ରଧାନମନ୍ତ୍ରୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୋଟେପଟେ କାନାଡାର ଜନସାଧାରଣ ମାନେ ମଧ୍ୟ ତାଙ୍କୁ ବିରୋଧ କରିବା ସହ ସେ ଚରମ ପନ୍ଥୀ ମାନଙ୍କର ଖେଳନା ସାଜିଥିବା ସୋସିଆଲ ମିଡିଆରେ ସମାଲୋଚନା କରୁଥିବାବେଳେ ଆମେରିକା,ବ୍ରିଟେନ,ଫ୍ରାନ୍ସ,ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ରର ବିଶ୍ୱ ନେତା କାନାଡର ଭାରତ ବିରୋଧି ନିଷ୍ପର୍ତ୍ତିକୁ ବିରୋଧ କରିଆସୁଛନ୍ତି। ତଥାପି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଚେତା ପସୁନି। ଭାରତ ବିରୋଧରେ ବିଷ ଓଗାଳୁଛନ୍ତି ।
ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡ଼ାର କୂଟନୀତିଜ୍ଞମାନେ ହସ୍ତକ୍ଷେପ କରୁଛନ୍ତି। ଏଥିସହିତ ଦେଶରେ କାର୍ଯ୍ୟ କରୁଥିବା କାନାଡ଼ାର କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ ପାଇଁ ଭାରତ ପକ୍ଷରୁ କୁହାଯାଇଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଭାରତରେ ଆବଶ୍ୟକତାଠାରୁ ଅଧିକ କୂଟନୀତିଜ୍ଞ କାନାଡ଼ାର ଅଛନ୍ତି। ତେଣୁ ଏହାକୁ ହ୍ରାସ କରାଯିବାର ଆବଶ୍ୟକତା ରହିଛି। ସରକାର ମଧ୍ୟ କାନାଡ଼ାକୁ ଭିସା ସେବା ବନ୍ଦ କରିଦେଇଛନ୍ତି। ଅନ୍ୟପଟେ କାନାଡାରେ ଦୁଇ ପ୍ରତିଶତ ଖଲିସ୍ତାନୀ ସମର୍ଥକ ଲୋକ ବାସ କରୁଥିବାବେଳେ ସେମାନଙ୍କ ଭୋଟ ହାତେଇବା ପାଇଁ ଟ୍ରୁଡୋ ଏପରି ଅଭିଯୋଗ ଆଣିଛନ୍ତି। ଫଳରେ ଆଗାମୀ ନିର୍ବାଚନରେ ଶିଖ ଭୋଟ ତାଙ୍କୁ ମିଳିବ ବୋଲି ସେ ଆଶା କରିଛନ୍ତି ।
ମାତ୍ର ଏହାରି ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଦାବି କରୁଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭୋଟରଙ୍କ ବିଶ୍ବାସ ହରାଇଛନ୍ତି। ଟ୍ରୁଡୋଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ନିକଟରେ ହୋଇଥିବା ଏକ ଜନମତ ସର୍ଭେ ରିପୋର୍ଟ ଅନୁଯାୟୀ କାନାଡ଼ାର ୪୦ ପ୍ରତିଶତ ନାଗରିକ ବିରୋଧୀ ଦଳ ନେତା ପିୟର୍ ପୋଲିବରେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ତେବେ ଯଦି ନିର୍ବାଚନ ଆଜି ହେବ ତେବେ ପିୟର୍ଙ୍କୁ ୩୯ ପ୍ରତିଶତ ଭୋଟ୍ ମିଳିବ ଏବଂ ଟ୍ରୁଡୋଙ୍କୁ ମାତ୍ର ୩୦ ପ୍ରତିଶତ ଭୋଟ୍ ମିଳିବ। ସେହିପରି ଅନ୍ୟ ଏକ ସର୍ଭେରୁ ଜଣାପଡ଼ିଛି କାନାଡାରେ ଟ୍ରୁଡୋ ହେଉଛନ୍ତି ୫୦ ବର୍ଷ ମଧ୍ୟରେ ସବୁଠୁ ଖରାପ ଏବଂ ବିଫଳ ପ୍ରଧାନମନ୍ତ୍ରୀ। କାନାଡ଼ାରେ ବସବାସ କରୁଥିବା ନାଗରିକ ଏବଂ ସେହି ଦେଶକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଇଥିବା ବ୍ୟକ୍ତିମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସେଠାରେ ଭାରତ ବିରୋଧୀ କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହା କୁହାଯାଇଛି।
କାନାଡ଼ାରେ ଭାରତୀୟ କୂଟନୀତିଜ୍ଞଙ୍କ କାର୍ଯ୍ୟାଳୟରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ବଢ଼ୁଥିବା ନେଇ ଜି ୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରୁଡ଼ୋଙ୍କୁ କହିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ବିଦେଶରେ ଅଧିକ ସଂଖ୍ୟାରେ ଶିଖମାନେ ରହୁଥିବା ଦେଶ ମଧ୍ୟରେ କାନାଡ଼ା ଅନ୍ୟତମ ଯେଉଁଠି ଆତଙ୍କବାଦ ଗତ କିଛି ବର୍ଷ ମଧ୍ୟରେ ବହୁଳମାତ୍ରାରେ ବୃଦ୍ଧି ପାଇଛି। ଗତ କିଛିମାସ ମଧ୍ୟରେ କାନାଡ଼ାରେ ଅନେକ ଖଲିସ୍ତାନୀ କାର୍ଯ୍ୟକଳାପ ଦେଖାଯାଇଛି।ଯଦି ସମୟ ପୂର୍ବରୁ କାନାଡା ସରକାର ସତର୍କ ନହୁଅନ୍ତି, ଟ୍ରୁଡୋ ଭାରତ ବିରୋଧି ବୟାନ, ଆଗାମୀ ନିର୍ବାଚନରେ ତାଙ୍କୁ ଗାଦିଚ୍ୟୁତ କରିଦେବାର ସମ୍ଭାବନା ରହିଛି ।